ଗାଁ ଗାଁକୁ ଯାଇ ପଥପ୍ରାନ୍ତ ନାଟକ ଜରିଆରେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରାଯିବ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୬/୧୧ : ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଶାସକ ବିଜେଡି ଉପରେ ଚାଷୀକୁଳର ଆଉ ଭରସା ନାହିଁ । ରାଜ୍ୟର ଚାଷୀକୁଳଙ୍କ ସମସ୍ୟା ପ୍ରତି ଆଖି ବନ୍ଦ କରିଦେଇଥିବା ରାଜ୍ୟ ସରକାରଙ୍କ ମନୋଭାବ ଓ କାର୍ଯ୍ୟକୁ ସମଗ୍ର ଓଡିଶାବାସୀଙ୍କ ସମ୍ମୁଖରେ ରଖାଯିବ । ଦାୟୀତ୍ୱବାନ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ସବୁବେଳେ ଚାଷ ଓ ଚାଷୀ ସମସ୍ୟା ସଂପର୍କରେ ବିଧାନସଭା ଭିତରେ ଓ ବାହାରେ ସ୍ୱର ଉଠାଇଛି ଏବଂ ଉଠାଇ ଚାଲିଥିବ । ୨୨ ବର୍ଷ ଶାସନ କାଳ ଭିତରେ ଜଳସେଚନ ବ୍ୟବସ୍ଥା ଠପ୍ ହୋଇଯାଇଥିବାବେଳେ ଚାଷୀଙ୍କୁ ନକଲି ବିହନ, ସାର, କୀଟନାଶକ ଦେଇ ହନ୍ତସନ୍ତ କରାଯାଉଛି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ବ୍ୟବସ୍ଥା କାରଣରୁ ଚାଷୀଟି ଆଜି ନିଜ କଷ୍ଟ ଉପାର୍ଜିତ ଶସ୍ୟକୁ ଧାର୍ଯ୍ୟ ଏମଏସପି ମୂଲ୍ୟରେ ବିକ୍ରି କରିନପାରି ଋଣ ଭାରରେ ଭାରାକ୍ରାନ୍ତ ହୋଇପଡିଛି । ଗୋଟିଏ ହେଲେ ଶୀତଳ ଭଣ୍ଡାର ନିର୍ମାଣ କରିବାରେ ବିଫଳ ହୋଇଛନ୍ତି ୨୨ ବର୍ଷର ବିଜେଡି ସରକାର । ସମଗ୍ର ଦେଶରେ ଚାଷୀଙ୍କ ଆୟ ବୃଦ୍ଧି ପାଇଚାଲିଥିବାବେଳେ ଏକମାତ୍ର ଓଡିଶାରେ ଏହାର ବ୍ୟତିକ୍ରମ ଦେଖାଯାଇ ମାତ୍ର ୫ ହଜାର ଟଙ୍କାରେ ସୀମିତ ହୋଇ ରହିଯାଇଛି । ଚାଷୀକୁଳର ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ରାଜ୍ୟର ଗାଁ ଗାଁକୁ ଯାଇ ଆନ୍ଦୋଳନ କରାଯିବ । ଏହା ସହ ପଥପ୍ରାନ୍ତ ନାଟକ ଜରିଆରେ ପ୍ରତ୍ୟେକ ଗାଁରେ ଜନଜାଗରଣ ସୃଷ୍ଟି କରାଯିବ ବୋଲି ।

କୃଷି ଓ କୃଷକଙ୍କ ପାଇଁ ବିଧାନସଭା ସମ୍ମୁଖରେ ଦୀର୍ଘ ୯ ଦିନ ହେଲାଣି ବିଜେପି ତରଫରୁ ସତ୍ୟାଗ୍ରହ ଆନ୍ଦୋଳନ କରାଯାଉଛି । ଆଜିର ସତ୍ୟାଗ୍ରହ ଆନ୍ଦୋଳନରେ ମାହାଙ୍ଗା ଏବଂ ତିର୍ତୋଲ ନିର୍ବାଚନମଣ୍ଡଳୀର ଶତାଧିକ ଚାଷୀ ଯୋଗ ଦେଇଥିଲେ । ଚାଷୀ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଶାରଦା ପ୍ରଧାନ, ରାଜକିଶୋର ବେହେରା, ଯାଜ୍ଞସେନୀ ଜେନା, ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ବବିତା ମଲ୍ଲିକ, ସୁଜିତ୍ କୁମାର୍ ଦାସ୍‌, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love