ଗୁଣି ଗାରେଡ଼ି ସନ୍ଦେହରେ ଭାଇ ବୋହୁକୁ ହତ୍ୟା କଲା ଦେଢ଼ଶୁର

ବଡ଼ବିଲ୍‌, ୦୬/୦୨: ଯୋଡ଼ା ଥାନା, କୋହ୍ଲ ହୁଣ୍ଡୁଳାରେ ଅଭାବନୀୟ ଘଟଣା । ଭାଇ ବୋହୁକୁ ହତ୍ୟା କଲା ସମ୍ପର୍କୀୟ ଦେଢଶୁର । ମୃତକ ହେଉଛନ୍ତି ବିଶିକେଶନ ମୁଣ୍ଡାଙ୍କ ପତ୍ନୀ ଶ୍ରୀଦେବୀ ମୁଣ୍ଡା । ଅଭିଯୁକ୍ତ, ସମ୍ପର୍କୀୟ ଦେଢଶୁର ରଞ୍ଜିତ ମୁଣ୍ଡାକୁ ଯୋଡ଼ା ପୋଲିସ୍ ଗିରଫ୍ କରି ଅଧିକ ପଚରାଉଚରା ଚଳାଇଛି । ଗୁଣି ଗାରେଡ଼ି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି ।

ସୂଚନା ଅନୁଯାୟୀ, ଅଢ଼େଇ ବର୍ଷ ହେବ ବିଶିକେଶନ ଓ ରଞ୍ଜିତଙ୍କ  ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ବିଭିନ୍ନ ସମୟରେ କଳି ଝଗଡ଼ା ମଧ୍ୟ ହେଉଥିଲା । ରଞ୍ଜିତ ବିଭିନ୍ନ ସମୟରେ ଅସୁସ୍ଥ ରହୁଥିବା ବେଳେ, ସମ୍ପର୍କୀୟ ଭାଇ ବୋହୁ ଶ୍ରୀଦେବୀ ଗୁଣି ଗାରେଡ଼ି କରିବା କାରଣରୁ ସେ ଅସୁସ୍ଥ ରହୁଥିବା ସନ୍ଦେହ କରିଆସୁଥିଲେ । ଶନିବାର ସକାଳ ପ୍ରାୟ ୯ଟା ସମୟରେ ଅନ୍ୟମାନଙ୍କ ସହ ଶ୍ରୀଦେବୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ, ଦେଢଶୁର ରଞ୍ଜିତ ମୁଣ୍ଡା ହଠାତ୍ ପଛପଟୁ ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଶ୍ରୀଦେବୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଯୋଡ଼ା ପୋଲିସ୍ ସୂଚନା ଦେଇଛି ।

Spread the love