ଘରୋଇ କଳି ନେଲା ମହିଳାଙ୍କ ଜୀବନ
ଆନନ୍ଦପୁର: ପୁଣି ବଧୂ ହତ୍ୟା ଅଭିଯୋଗ । ଝିଅ ମୃତ୍ୟୁ ପରେ ନ୍ୟାୟ ପାଇଁ ଅଡ଼ି ବସିଛି ବାପା । ମୋ ଝିଅର ଜୀବନ ନେଇଛନ୍ତି, ତାଙ୍କୁ ଦଣ୍ଡ ମିଳୁ । ଏମିତି କିଛି କହି ଥାନା ଆଗରେ ଛିଡ଼ା ହୋଇଛନ୍ତି ମୃତକଙ୍କ ବାପା । ଦର୍ଶକ ବନ୍ଧୁ ଜୀବନ ମରଣ ସହିତ ସଂଗ୍ରାମ କରି କରି ଶେଷରେ ଆଖି ବୁଜିଦେଲେ ଗୋଲାପ । ଶାଶୁ, ଶ୍ବଶୁର ଓ ସ୍ୱାମୀ ଗୋଲାପଙ୍କୁ ମାରିଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଶ୍ବଶୁର ଘର ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗୋଲାପଙ୍କ ବାପା ହୋଇଛନ୍ତି ଥାନାର ଦ୍ୱାରସ୍ଥ ।
ଘଷିପୁରା ଥାନା ବେଲବାହାଳି ଗାଁର ଅଯୋଧ୍ୟା ସାହୁଙ୍କ ଝିଅ ଗୋଲାପ ଆନନ୍ଦପୁର ଥାନା ପଦ୍ମପୁର ଗାଁର ରାଜେଶଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ । ପରିବାରରେ କଳହ ଲାଗି ରହୁଥିବା ବେଳେ ଡିସେମ୍ବର ମାସ ୨୫ ତାରିଖରେ ଗୋଲାପଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଶାଶୁ ଶ୍ବଶୁର ଓ ସ୍ୱାମୀ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ସେଠାରୁ ତାଙ୍କୁ ଉଦ୍ଧାର କରିବା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ସେ ଆସି ବାପଘରେ ରହିବା ସହିତ ତାଙ୍କୁ କେମିତି ମାରିଦେବାକୁ ପ୍ରୟାସ କରାଯାଇଥିଲା ସେନେଇ ସବୁ ବଖାଣିଥିଲେ ।
ତେବେ ପୁନର୍ବାର ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରେ ଗୋଲାପଙ୍କ ବାପା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଗୋଲାପଙ୍କ ଶ୍ବଶୁର ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସତରେ ମଣିଷ କଣ ଏତେ ନୃଶଂସ ହୋଇପାରେ । ନା ଏ ଘଟଣା ପଛରେ ଆଉ କିଛି ସତ ଲୁଚି ରହିଛି । ପୋଲିସ ତଦନ୍ତ ପରେ ହିଁ ସବୁ ସତ ପଦାକୁ ଆସିବ ।
