ଘିମିରି ସମସ୍ୟାରୁ ମୁକ୍ତି ପାଇଁ ଅପଣାନ୍ତୁ ଏସବୁ ଘରୋଇ ଉପଚାର

ଖରାଦିନେ ଅନେକ ପ୍ରକାର ଚର୍ମ ସମସ୍ୟା ଦେଖାଯାଇଥାଏ । ଖରାଦିନରେ ଘିମିରି ସବୁଠୁ ଏକ ବଡ ସମସ୍ୟା । ଏହା ଏକ ସମସ୍ୟା ଯାହାକି ଯେକୌଣସି ବୟସର ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇପାରେ, ବିଶେଷତଃ ଯେଉଁମାନଙ୍କ ଚର୍ମ ଅତ୍ୟନ୍ତ ସେନସିଟିଭ, ସେମାନଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ । ପ୍ରାକୃତିକ ଚିକିତ୍ସାର ଏପରି ଅନେକ ପ୍ରତିକାର ଅଛି, ଯାହାକୁ ବ୍ୟବହାର କରି ପ୍ରବଳ ଗରମରେ ସୃଷ୍ଟି ହେଉଥିବା ଏହି ଘିମିରି ସମସ୍ୟାକୁ ହ୍ରାସ କରାଯାଇପାରିବ । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ କିଛି…

ଘି କୁଆଁରୀ:-ପ୍ରବଳ ଗରମରେ ଆଲୋଭେରା ବ୍ୟବହାର ଲାଭଦାୟକ ହୋଇଥାଏ। ଯଦି ଆପଣ ନିୟମିତ ଭାବରେ ତାଜା କିମ୍ବା ବଜାର ଉପଲବ୍ଧ ଆଲୋଭେରା ଜେଲକୁ ୧୯ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତି ଏବଂ ଏହାପରେ ସେହି ସ୍ଥାନକୁ ପାଣିରେ ଧୋଇ ଦିଅନ୍ତି, ତେବେ ଏହା ପ୍ରବଳ ଗରମରୁ ରକ୍ଷା କରିବା ସହ ଘିମିରି ହେବାରୁ ମଧ୍ୟ ବଞ୍ଚେଇ ଥାଏ।

ମୁଲତାନୀ ମାଟି:- ଏହାକୁ ମଧ୍ୟ ପ୍ରବଳ ଗରମରେ ଏକ ଉପଶମ ଭାବେ ବ୍ୟବହାର କରାଯାଏ । ମୁଲତାନୀ ମାଟିରେ ଗୋଲାପ ଜଳକୁ ମିଶ୍ରଣ କରି ଏହାକୁ ଘିମିରି ସ୍ଥାନରେ ଲଗାଇବା ଦ୍ବାରା ଜଳା-ପୋଡା ଏବଂ ଏହା ଦ୍ବାରା ସୃଷ୍ଟି ହେଉଥିବା କୁଞ୍ଚନରୁ ଆରାମ ମିଳିଥାଏ ।

ଆଳୁ ରସ:- କଞ୍ଚା ଆଳୁ ରସକୁ ବାହାର କରି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିମିରି ସ୍ଥାନରେ ଆଳୁ ରସ ଲଗାଇ ପ୍ରାୟ ୧୦ ରୁ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦେବା ଦ୍ବାରା ଆରାମ ମିଳିଥାଏ ।

ମେହେନ୍ଦୀ:-ଗରମରେ ମେହେନ୍ଦୀ ଲଗାଇବା ଦ୍ବାରା ଆରମ ମିଳିଥାଏ । ହେନାରେ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ, ଏଷ୍ଟ୍ରୋଜେଣ୍ଟ ପରି ଉପାଦାନ ରହିଛି, ଯାହା ଚର୍ମକୁ ପ୍ରାକୃତିକ ଭାବରେ ଥଣ୍ଡା ରଖେ ।

ହଳଦୀ:- ହଳଦୀରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଗାଧୋଇବା ପୂର୍ବରୁ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିରି ସ୍ଥାନରେ ଗୁଣ୍ଡ ହଳଦୀ ବା ବଟା ହଳଦୀ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ଲଗାଇଲେ ବହୁତ ଆରାମ ମିଳିଥାଏ। ଏହାସହ ରାତିରେ ମଧ୍ୟ ହଳଦୀ ଲିମ୍ୱ ପତ୍ର ବାଟି ଲଗାଇବା ଦ୍ଵାରା ଘିମିରି ଓ ଗରମ ଘାରୁ ମୁକ୍ତି ମିଳିଥାଏ।

କାକୁଡି ରସ:- ସେହିପରି କାକୁଡି ରସରେ ଅଳ୍ପ ବୁନ୍ଦା ଲେମ୍ବୁ ଲଗାଇଲେ ମଧ୍ୟ ଘିମିରି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ କାକୁଡି ଖାଇବା ଦ୍ବାରା ଶରୀର ହାଇଡ୍ରେଡ ରହିଥାଏ।

Spread the love