ଚର୍ଚ୍ଚାରେ ଭଗବାନ ଗଣେଶଙ୍କ ଆଧାରକାର୍ଡ, ସ୍କାନ୍ କର ମୂର୍ତ୍ତି ଦେଖ

ନୂଆଦିଲ୍ଲୀ ୦୨/୦୯ :ଏବେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି, ବିଘ୍ନରାଜ ଶ୍ରୀ ଗଣେଶ। ୨ବର୍ଷ ପରେ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ବପ୍ପାଙ୍କର ଆକର୍ଷଣୀୟ ପ୍ରତିମା ଓ ତୋରଣ ଦେଖିବାକୁ ମିଳିଛି।  ତେବେ ଲୋକଙ୍କୁ ଆକୃଷ୍ଟ କରିଛି ପ୍ରଭୁ ଗଣେଶଙ୍କ ଆଧାର କାର୍ଡ । ସାଧାରଣ ମଣିଷଙ୍କ ଆଧାରକାର୍ଡ ପରି ବପ୍ପାଙ୍କର ବି ତିଆରି ହୋଇଛି ଆଧାରକାର୍ଡ । ଆଉ ସେଥିରେ ନାଁ ଠିକଣା ମଧ୍ୟ ରହିଛି ।

ଝାଡଖଣ୍ଡର ଜାମସେଦପୁରର ସାକଚୀ ବଜାରର ଏକ ମଣ୍ଡପରେ ଗଣେଶଙ୍କ ଆଧାରକାର୍ଡ ତିଆରି ହୋଇଛି। ଯାହା ଏବେ ଚର୍ଚ୍ଚାରେ ରହିଛି । କିଛି ଭିନ୍ନ ଚିନ୍ତା କରି ଗଣେଶଙ୍କ ପାଇଁ ତିଆରି ହୋଇଛି ଆଧାରକାର୍ଡ। ଆଉ ତାକୁ ଭଲରେ ଦେଖିଲେ ଜାଣି ପାରିବେ ଯେ,  ଆଧାରକାର୍ଡକୁ ଭିତରେ ପୂଜା ପାଉଛନ୍ତି ଗଣପତି । ଆଧାରକାର୍ଡରେ ଭଗବାନ ଗଣେଶଙ୍କ ଫଟୋ ସହ ତାଙ୍କ ଆଧାର ନମ୍ବର ରହିଛି । ସେଥିରେ ଲେଖା ଅଛି  ତାଙ୍କ ଜନ୍ମ ଷଷ୍ଠ ଶତାବ୍ଦୀ, ଗଣେଶଙ୍କ ପିତାଙ୍କ ନାଁ ମହାଦେବ, ଠିକଣା କୈଳାସ ପର୍ବତର ଟପ୍ ଫ୍ଲୋର, ଆଉ ପିନ୍ କୋର୍ଡ ରହିଛି ୦୦୦୦୦୧। ଯାହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆଧାରକାର୍ଡକୁ ସ୍କାନ କଲା ପରେ ଭଗବାନ ଗଣେଶଙ୍କ ଫଟୋ ଆସିଯାଉଛି । ଯେଉଁଠାରେ ଲୋକମାନେ ନିଜ ଫୋନରେ ଭଗବାନଙ୍କୁ ଦର୍ଶନ କରିପାରୁଛନ୍ତି ।

ଏହି ଆଧାରକାର୍ଡ ଜରିଆରେ ପୂଜା ପ୍ରଶାସନ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି । ଗଣେଶଜୀଙ୍କର ଆଧାର କାର୍ଡ ରହିଛି। ଆଉ ଯେଉଁମାନେ ଆଧାରକାର୍ଡ ତିଆରି କରିନାହାନ୍ତି ଶୀଘ୍ର ତିଆରି କରିନିଅନ୍ତୁ । କାରଣ ଆଧାରକାର୍ଡ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ।

Spread the love