ଚାନ୍ଦବାଲି ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣା ବିଷୟରେ ଅବଗତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।
ଜଳୁଛି ଚାନ୍ଦବାଲି। ନାବାଳିକା ଦୁଷ୍କର୍ମ ଓ ହତ୍ୟାର ତୀବ୍ର ପ୍ରତିବାଦ। ଟାୟାର ଜାଳି ରାସ୍ତା ଅବରୋଧ । ତାତିଲେ ଲୋକ । ଭାଙ୍ଗିଲେ ଅଭିଯୁକ୍ତର ଘର। ଆସବାବପତ୍ର ଭଙ୍ଗାରୁଜା। ଗତକାଲି ସଂଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।
ଏହା ପରେ ଭଦ୍ରକ- ଚାନ୍ଦବାଲି ରାସ୍ତା ଅବରୋଧ କରି ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ ଲୋକେ।ଗତକାଲି ରାତିରୁ ଆଜି ଅପରାହଣ ଯାଏପାଞ୍ଚଟି ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସ୍ଥିତି ଅଣାୟତ୍ତ ହେବା ପରେ ଭଦ୍ରକ ଏସପି ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲେ। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଦୁଷ୍କର୍ମକାରୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିବା କହିଛନ୍ତି ଭଦ୍ରକ ଏସପି। କିଛି ସନ୍ଦିଗ୍ ଧଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଇଛି।
ମୁଖ୍ୟ ଅଭିଯୁକ୍ତ ବାଲିଗାଁ ରାମପାଲିର ସତ୍ୟବ୍ରତ ଦାସ ଧରାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ତା ଘରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରେ ଜିଲ୍ଲା ପ୍ରଶାସନ ବୁଲଡୋଜର ଚଢ଼ାଇ ମୁଖ୍ୟ ଅଭିଯୁକ୍ତ ଜବରଦଖଲ ଘରକୁ ମାଟିରେ ମିଶାଇଥିଲା। ତଥାପି ଲୋକେ ଶାନ୍ତ ପଡ଼ିନଥିଲେ। ପଞ୍ଚାୟତ ଅଫିସ ପଛକଡ଼େ ବର୍ବର କାଣ୍ଡ ଘଟିଥିବାରୁ ପଞ୍ଚାୟତ ଗେଟ ଭାଙ୍ଗି ଧସେଇ ପଶିଥିଲେ। ସ୍ଥିତି ଅଣାୟତ ଥିବାରୁ ପୂର୍ବାଞ୍ଚଳ ଡିଆଇଜି ବାଲିଗାଁ ଯାଇ ତଦନ୍ତ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ, ସାଇଣ୍ଟିଫିକ ତଥ୍ୟ, ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ତଦନ୍ତ କଡ଼ାକଡ଼ି ହେବ ବୋଲି କହିଛନ୍ତି ଡିଆଇଜି ।
ସେପଟେ କାଲି ୬ଘଣ୍ଟା ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଅପରାଧ ଦମନ ପାଇଁ ପୋଲିସକୁ ପୂର୍ଣ୍ଣ କ୍ଷମତା ଦିଆଯାଇଥିବା କହିଛନ୍ତି ଆଇମମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଘଟଣା ଘଟିବାର ୪୮ ଘଣ୍ଟା ମଧ୍ୟରେ ଅପରାଧୀ ଗିରଫ ହୋଇଥିବା ସେ କହିଛନ୍ତି।
