ଚାଷୀଙ୍କ ସହ ଅଧିକ ଆଲୋଚନା ଚାହୁଁଛନ୍ତି କେନ୍ଦ୍ର ସରକାର, ପ୍ରସ୍ତାବର ପୁନର୍ବିଚାର ଲାଗି ପୁଣି ନିବେଦନ କଲେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ ୧୦।୧୨: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ପୁଣି ଥରେ ସଂଶୋଧିତ କୃଷିଆଇନ-୨୦୨୦କୁ ବିରୋଧରେ  ବିକ୍ଷୋଭ କରୁଥିବା ଚାଷୀଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଛନ୍ତି। ସରକାର ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଚାଷୀଙ୍କୁ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ନପାରିବା ଦୁର୍ଭାଗ୍ୟଜନକ କହିଛନ୍ତି। ତେବେ ଚାଷୀଭାଇଙ୍କୁ ଏମଏସପି ପୂର୍ବବତ ଜାରି ରହିବ ବୋଲି ସେ ବିଶ୍ୱାସ ଦେଇଛନ୍ତି।

ସେପଟେ ଚାଷୀ ସରକାରଙ୍କୁ ଦେଇଥିବା ଅଲ୍ଟିମେଟମ ପୂରଣ ହୋଇସାରିଥିବା କହିଛନ୍ତି। ଡିସେମ୍ବର ୧୦ ତାରିଖ ସୁଧା ସରକାର ଆଇନ ପ୍ରତ୍ୟାହାର କରିବେ କି ନା ସେ ନେଇ ନିଷ୍ପତ୍ତି ନେବାକୁ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ଜିଦରେ ଅଟଳ ରହିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି କୃଷକ ନେତାମାନେ କହିଛନ୍ତି। ଏଣୁ ଏପର୍ଯ୍ୟନ୍ତ ରାଜରାସ୍ତାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସେମାନେ ରେଳ ଲାଇନକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

Spread the love