ଜିଲ୍ଲା ପ୍ରଶାସନର ବାତ୍ୟା ପ୍ରସ୍ତୁତି, ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ଓ ସ୍କୁଲ-କଲେଜ ବନ୍ଦ
ଗଜପତି : ମାଡ଼ି ଆସୁଅଛି ବାତ୍ୟା ମୋନ୍ଥା । ଆନ୍ଧ୍ର ମଛଲିପାଟଣା- କଳିଙ୍ଗପାଟଣା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ଆକଳନ ଆକଳନ କରିଛି । ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାର ପ୍ରଭାବ ଗଜପତି ଜିଲ୍ଲାରେ ପଡ଼ିବା ସମ୍ଭାବନା ରହିଛି । ତେଣୁ ବାତ୍ୟା ଓ ଏହାଦ୍ବାରା ହେବାକୁ ଥିବା ବିଭିନ୍ନ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୩୦ତାରିଖ ଯାଏଁ ବାତିଲ କରାଯାଇଛି। ସେହିଭଳି ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ପ୍ରଭାବିତ ସମ୍ଭାବନା ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ସରକାରୀ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ରେ ଜେନେରେଟର ମହଜୁଦ ରଖିବା ପାଇଁ କୁହାଯାଇଛି। ସାମାନ୍ୟ ବର୍ଷା ହେଲେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଥିବାରୁ ବିଭିନ୍ନ ସ୍ଥାନରେ ଜେସିବି ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସ୍ଥିତିର ମୁକାବିଲା ପାଇଁ ଦୁଇଟି ଓଡ୍ରାଫ ଟିମ୍ ପଠାଇବାକୁ ଜିଲ୍ଲାପାଳ ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୩୦ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ ରଖିବାକୁ ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି।
