ଜିଲ୍ଲା ହସ୍ପିଟାଲରେ ଶବ ଜଗିଛି ଏଣ୍ଡୁଅ, ପୋଷ୍ଟମର୍ଟମ ପର୍ଯ୍ୟନ୍ତ ସେମିତି ବସି ରହିଥିଲା

ପିଲାଟି ବେଳେ ପାଠ ପଢିଲା ସମୟରେ ଛାତ୍ର-ଛାତ୍ରୀମାନେ ରାସ୍ତାରେ ଯାଉଥିବା ଏଣ୍ଡୁଅକୁ ଦେଖି ତାକୁ କହିଥାନ୍ତି ଏଣ୍ଡୁଅ ଭାଇ ଆମେ ପରୀକ୍ଷାରେ ପାସ୍ ହେବୁତ, ଏଣ୍ଡୁଅଟି ମୁଣ୍ଡ ଟୁଙ୍ଗାରି ଦେଲେ ପିଲାମାନେ ବହୁତ ଖୁସି ହୋଇ ଯାଇଥାନ୍ତି। ସତକଥା କହୁଥିବା ଏଣ୍ଡୁଅଟି ପୁଣି ତାର ମାନବିକତା ଦେଖାଇଛି। ମାଲକାନଗିରି ଜିଲ୍ଲାହସ୍ପିଟାଲରେ ପଡି ରହିଥିବା ଶବକୁ ଦୀର୍ଘ ୧୮ ଘଣ୍ଟା ଧରି ଜଗି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ମାଲକାନଗିରି ଜେଲରେ ଦାନୁ ଗୋଲରୀ ନାମକ ଜଣେ ବିଚାରଧୀନ କଏଦୀଙ୍କ ରକ୍ତାକ୍ତ ଶରୀର ପାଇଖାନାରେ ପଡିଥିଲା। ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ଦାନୁଙ୍କୁ ମୃତ ଘୋଷଣା କରି ଦେବା ପରେ ଜେଲ୍ କର୍ତ୍ତୃପକ୍ଷ ହସ୍ପିଟାଲରେ ଦାନୁଙ୍କ ଶବକୁ ଛାଡି ଦେଇ ପଳାଇ ଆସିଥିଲେ।

ଶବକୁ କେବେ ବି ଏକା ରଖାଯାଇନଥିବାର ପ୍ରବାଦ ଥିବା ବେଳେ ଶବ ନିକଟରେ କେହି ନଥିବାରୁ  ଦାନୁଙ୍କ କମ୍ଵଳ ଘୋଡା ମୃତଶରୀର ପେଟ ଉପରେ ଶନିବାର ସନ୍ଧ୍ୟାରେ ଏକ ଏଣ୍ଡୁଅ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବସି ରହିଥିଲା। ଆଜି ସକାଳେ  ଦାନୁଙ୍କ ମୃତଶରୀର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଏଣ୍ଡୁଅଟି ଶବକୁ ଜଗି ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ଦେଖିବାକୁ ପାଇଥିଲେ। ଆଜି ଅପରାହ୍ନରେ ଦାନୁଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ କରିବା ପାଇଁ ନେବା ବେଳକୁ ଦାନୁଙ୍କ ପେଟ ଉପରେ ସେମିତି ରାତିତମାମ ଜଗି ରହିଥିବା ଏଣ୍ଡୁଅଟି ଡିଆଁ ମାରି ଝରକାବାଟେ ଜଙ୍ଗଲକୁ ପଳାଇଥିଲା। ଯାହାର କିଏ ନାହିଁ ତାକୁ ଭଗବାନ ହିଁ ଭରସା କୁହନ୍ତି ବେଲି ଏହି ଦୃଶ୍ୟ ଦେଖୁଥିବା ଲୋକେ କହିଛନ୍ତି।

Spread the love