ଟଳିଲା ବାତ୍ୟା ଆଶଙ୍କା, ପଛକୁ ପଛ ସୃଷ୍ଟି ହେଲା ୩ ଟି ଲଘୁଚାପ
ଭୁବନେଶ୍ୱର : ବଙ୍ଗୋପସାଗରରେ ଟଳିଲା ବାତ୍ୟା ଆଶଙ୍କା । ଆଗକୁ ଆସୁଛି ଆଉ ଏକ ଲଘୁଚାପ । ପଛକୁ ପଛ ୩ ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ ।ବିଭିନ୍ନ ପାଣିପାଗ ମଡେଲର ଆକଳନ ଅନୁଯାୟୀ, ୨୩ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ଉପରିଭାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୨୪-୨୫ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପର ସମ୍ଭାବନା ରହିଛି । ପୁଣି ୨ ୯ ବେଳକୁ ଆଉ ଏକ ଲଘୁଚାପର ସୃଷ୍ଟି ହେବା ଆଶଙ୍କା ରହିଛି ।
ଏହା ଘନୀଭୂତ ହୋଇପାରେ ବୋଲି ମଡେଲଗୁଡ଼ିକ ଆକଳନ କରିଛନ୍ତି । ଏପଟେ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅପରାହ୍ଣରେ ଅବପାତରେ ପରିଣତ ହେବ । ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ । ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ ।
ଆଜି ବିଜୁଳି, ଘଡ଼ଘଡି ପାଇଁ ମାଲକାନଗିରି, କୋରାପୁଟ ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ,କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
