ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ, ବିଶ୍ୱର ୨୧୯୧ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ୫୦୧

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନରେ ଉନ୍ନତି ଆଣିଛି ।  ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୬ ପ୍ରକାଶିତ ହୋଇଛି ।

ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି।  ବିଶ୍ୱର ୨୧୯୧ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ୫୦୧ କୋହର୍ଟ ମଧ୍ୟ ରହିଛି ।  ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ୧୨୮ଟି ଅନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ପଞ୍ଚମ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।  ଭାରତରେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍‍ସେସ୍‍ (ଆଇଆଇଏସ୍‍) ଏହି ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଥିବା ବେଳେ କିଟ୍‍ ପଞ୍ଚମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି କିଟ୍  ।

ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗର ଆକାଡେମିକ୍‍ ଏକ୍‍ସଲେନ୍‍ସରେ କିଟ୍‍ ସମଗ୍ର ବିଶ୍ୱରେ ୨୫୯ତମ ସ୍ଥାନରେ ରହିଛି ।  ଟାଇମ୍‍ସ ହାଇଅର ଏଜୁକେସନ୍‍ ୫ଟି ମାନଦଣ୍ଡକୁ ନେଇ ରାଙ୍କିଙ୍ଗ ପ୍ରଦାନ କରିଥାନ୍ତି । କିଟ୍‍ ବିଶ୍ୱବିଦ୍ୟାଳୟ ଇଣ୍ଡଷ୍ଟ୍ରି ଇଣ୍ଟିଗ୍ରେସନ୍‍, ଇଣ୍ଟରନ୍ୟାସ୍‍ନାଲ ଆଉଟଲୁକ୍ ଅଫ୍‍ ହାଇଅର ଏଜୁକେସନ୍‍ ଓ ସୋସିଆଲ୍‍ କମିଟ୍‍ମେଣ୍ଟ (ଏସ୍‍ଡିଜି) ମାନଦଣ୍ଡରେ ଭାରତରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ।   ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬ରେ କିଟ୍‍ର ଏହି ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି ।

ଟାଇମ୍‍ସ ପକ୍ଷରୁ କୁହାଯାଇଛି, କିଟ୍‍ର ଏହି ପ୍ରଦର୍ଶନ ଦଶନ୍ଧି ଧରି ସ୍ଥାନୀୟ ଉତ୍କର୍ଷତାରୁ ବିଶ୍ୱସ୍ତରୀୟ ସ୍ୱୀକୃତିକୁ ପ୍ରତଫଳିତ କରୁଛି ।  ଓଡ଼ିଶା ଭଳି ଏକ ଛୋଟିଆ ରାଜ୍ୟରେ କିଟ୍‍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବିଶ୍ୱରେ ତାର ପରିଚୟ ପ୍ରତିଫଳିତ ହେବା ସହ ସ୍ୱୀକୃତି ଲାଭ କରିପାରିଛି ।  କିଟ୍‍ ଓଡ଼ିଶାର ଏକ ସାମାଜିକ ଅନ୍ତର୍ଭୁକ୍ତି ବିଶ୍ୱବିଦ୍ୟାଳୟ ନବସର୍ଜନା, କରୁଣା ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ସହିତ ପ୍ରତିଯୋଗିତା କରିପାରେ ବୋଲି ଏହି ରାଙ୍କିଙ୍ଗରୁ ସ୍ପଷ୍ଟ ହୋଇଛି । କିଟ୍‍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ବିଶ୍ୱର ଶ୍ରେଷ୍ଠ ୫ଶହଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିବାକୁ ଆଶା ରଖିଥାନ୍ତି ।

କିଟ୍‍ ମାତ୍ର ୨୮ ବର୍ଷର ଅନୁଷ୍ଠାନ ଓ ୨୨ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଏହା ବିଶ୍ୱର ବହୁ ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରେ ୫୦୧କୋହର୍ଟ ମଧ୍ୟ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି ।  ଏହା ଠାକୁରଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।  ଏହା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ।   ଏହି ସଫଳତା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଡ. ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି ।

Spread the love