ତାଇଓ୍ଵାନ ସହ ବିବାଦ ସମୟରେ ଚୀନକୁ ଭାରତର ରୋକ୍ ଠୋକ୍, ଲଦାଖ ସୀମାରୁ ଦୂରେଇ ରଖ ନିଜ ଲଢୁଆ ବିମାନ

ନୂଆଦିଲ୍ଲୀ: ଭାରତ ପୂର୍ବ ଲଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇବା ନେଇ ଚୀନକୁ କଠୋର ଚେତାବନୀ ଦେଇଛି। ନିଜର ଲଢୁଆ ବିମାନ ଲଦାଖ ସୀମାରୁ ଦୂରରେ ରଖିବାକୁ ଭାରତ ଚୀନକୁ କହିଛି। ଗତ କିଛି ଦିନରେ ଚୀନର ଲଢୁଆ ବିମାନ ଭାରତ ସୀମାର ବହୁତ ନିକଟରେ ଉଡିଥିଲା। ଭାରତ ଚୀନକୁ ଚେତାବନୀ ଏମିତି ସମୟରେ ଦେଇଛି ଯେଉଁ ସମୟରେ ଡ୍ରାଗନର ତାଇଓ୍ଵାନ ସହ ବିବାଦ ଚରମରେ ରହିଛି। ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନ ଗସ୍ତ ପରେ ରାଗରେ ଜର୍ଜରିତ ହୋଇ ଉଠିଛି ଚୀନ। ଏହାର ବିରୋଧରେ ଚୀନ ତାଇଓ୍ଵାନ ସୀମା ସଂଲଗ୍ନ ଅଞ୍ଚଳରେ ଯୁଦ୍ଧାଭ୍ୟାସ୍ ଆରମ୍ଭ କରି ଦେଇଛି।

ଭାରତ ଲଦାଖରେ ବିମାନ ଉଡାଇବା ପ୍ରସଙ୍ଗରେ ଚୀନ ସହିତ ସାମରିକସ୍ତରରେ ବୈଠକ ଡକାଇଥିଲା। ଏଥିରେ ଭାରତ ପୂର୍ବ ଲଦାଖରେ ଚୀନର ଉସୁକାଇବା ଗତିବିଧିକୁ ନେଇ ବିରୋଧ ପ୍ରକାଶ କରିଥିଲା। ସରକାରୀ ସୂତ୍ର ଅନୁଯାୟୀ,ଏହି ବୈଠକ ମେଜର ଜେନେରାଲଙ୍କ ନେତୃତ୍ଵରେ ବସିଥିଲା। ଏହି ସମୟରେ ବାୟୁସେନାର ଏୟାର କୋମୋଡୋର ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମ ଥର ଭାରତୀୟ ବାୟୁସେନାର କୌଣସି ଅଧିକାରୀ ସାମରିକସ୍ତରୀୟ ଆଲୋଚନାରେ ଯୋଗ ଦେଇଛନ୍ତି। ଏହି ବୈଠକ ମଙ୍ଗଳବାର ଚୁଶୁଲ ମୋଲ୍ଡୋରେ ଅନୁଷ୍ଠିତ ହୋଇଛି। ବୈଠକ ସମୟରେ ଚୀନ ପ୍ରତିପକ୍ଷଙ୍କୁ ସ୍ପଷ୍ଟ କରାଯାଇଛି ଯେ, ବିମାନ ଉଡିବା ସମୟରେ ନିଜ ସୀମା ଭିତରେ ରହୁ। ଏପରିକି ଏଲଏସି ଏବଂ ୧୦ କିମି ସିବିଏମ ଲାଇନର ପାଳନ କରୁ ଚୀନ।

ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖରେ ବିବାଦର ସମାଧାନ ପାଇଁ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ଅନ୍ୟପଟେ ଚୀନ ତରଫରୁ ଭାରତକୁ ଉସୁକାଇବା ପରି ଗତିବିଧି ଜାରି ରହିଛି। ଗତ ମାସେ ଏବଂ ଦୁଇ ମାସରେ ଚୀନର ଲଢୁଆ ବିମାନ ଭାରତୀୟ ସୀମା ବହୁତ ନିକଟକୁ ଚାଲି ଆସିଥିଲା।

Spread the love