ତାତିରୁ ମିଳିବ ତ୍ରାହି, ୨୧ ଜିଲ୍ଲାରେ କାଳବୈଶାଖୀ !

ଭୁବନେଶ୍ୱର, ୪/୪: ରବିବାର ରାଜ୍ୟର ୨୧ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ଅଛି । ଏଥିରୁ କିଛି ଜାଗାରେ ଘଡ଼ଘଡ଼ି, ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।

ଉତ୍ତର-ପଶ୍ଚିମ ପଟୁ ଗରମ ପବନ କମିବା ଯୋଗୁ ତାତି କମିଛି । ସବୁଠି ପାରଦ ଖସିଛି । ଶନିବାର କେବଳ ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ମାଲନାଗିରିରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗିରରେ ୪୦, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରେକର୍ଡ ହୋଇଥିଲା । ଅନ୍ୟ ସହର ମଧ୍ୟରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର ତାତି ୩୯ ଡିଗ୍ରୀ ଅତିକ୍ରମ କରିଥିଲା । ଉପକୂଳ ଓଡ଼ିଶାରେ ଖରା ପ୍ରକୋପ କମିଛି । ସାମୁଦ୍ରିକ ପବନ ଯୋଗୁ ତାତି ବହୁ ମାତ୍ରାରେ କମିଛି । କିନ୍ତୁ, ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ଅସହ୍ୟ ହେଉଛି ।

ପାଣିପାଗ ବିଭାଗର କହିବାନୁସାରେ, ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ଥିବାବେଳେ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ୨୪ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ କମିପାରେ ।ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ଜିଲ୍ଲାରେ ବର୍ଷା, ପବନ ଆଶଙ୍କା ଅଛି ।

Spread the love