ତୃତୀୟ ଦିନିକିଆ: ଏହି ଦୁଇ ଖେଳାଳି କରିପାରନ୍ତି ଡେବ୍ୟୁ, ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍‌

ଅହମଦାବାଦ ୧୦/୦୨: ଟିମ୍‌ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତା ଶୁକ୍ରବାର ଅହମଦାବାଦରେ ଖେଳାଯିବ । ୩ ଟିକିଆ ଦିନିକିଆ ସିରିଜ୍‌କୁ ୨-୦ରେ କବ୍‌ଜା କରିନେଇଛି ଭାରତୀୟ ଦଳ । ତେବେ ଶେଷ ଦିନିକିଆ ଜିତି କ୍ଲିନ୍‌ ସ୍ବିପ୍‌ କରିବାକୁ ଭାରତ ଅପେକ୍ଷା କରିଥିବା ବେଳେ ଶେଷ ଦିନିକିଆ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ । ଏହାରି ମଧ୍ୟରେ ତୃତୀୟ ଦିନିକିଆ ପାଇଁ ଦଳରେ ବଡ ଧରଣର ଅଦଳବଦଳ କରିପାରନ୍ତି କ୍ୟାପଟେନ୍‌ ରୋହିତ ଶର୍ମା ।

ତୃତୀୟ ଦିନିକିଆରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ । ସ୍କ୍ବାଡ୍‌ରେ ସାମିଲ ଥିବା କିଛି ନବାଗତଙ୍କୁ ତୃତୀୟ ମ୍ୟାଚ୍‌ରେ ସୁଯୋଗ ମିଳିପାରେ । ସେମାନଙ୍କ ମଧ୍ୟରେ ଋତୁରାଜ୍‌ ଗାୟକଓ୍ବାଡ ଏବଂ ଆବେଶ୍‌ ଖାନ ରହିଛନ୍ତି । ଋତୁରାଜ ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ପାଇଁ ମାତ୍ର ୨ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ହିଁ ଖେଳିଛନ୍ତି । ଆଇପିଏଲରେ କମାଲ କରିଥିବା ଆବେଶ ଖାନ ମଧ୍ୟ ଡେବ୍ୟୁ କରିବା ଲକ୍ଷ୍ୟରେ ରହିଛନ୍ତି ।

ଦ୍ରୁତ ବୋଲର ଆବେଶ ଖାନ ବର୍ତ୍ତମାନ ସୁଦ୍ଧା କୌଣସି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି । ପୂର୍ବରୁ ମଧ୍ୟ କୌଣସି ସିରିଜ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ପ୍ରଥମ ଦୁଇଟି ମ୍ୟାଚ୍‌ ସେ ବାହା​‌ରେ ବସିଥିଲେ । ତେବେ ତୃତୀୟ ମ୍ୟାଚ୍‌ରେ ଦଳ ତାଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରି ପରୀକ୍ଷା କରିବାକୁ ଚାହିଁବ ।

ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିଥିଲେ ଇଶାନ କିଷାନ । କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ଓପନିଂ ଆସିଥିଲେ ଋଷଭ ପନ୍ତ । ଏବେ ତୃତୀୟ ମ୍ୟାଚ୍‌ରେ ଋତୁରାଜଙ୍କୁ ରୋହିତଙ୍କ ସହ ଦେଖିବାକୁ ମିଳିପାରେ । ଦଳରେ ଶିଖର ଧାଓ୍ବନ ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ଯୁବ ଖେଳାଳି ଭାବେ ଗାୟକଓ୍ବାଡଙ୍କୁ ସ୍ଥାନ ମିଳିପାରେ । ଏହା ବାଦ୍‌ ଦୀପକ ଚହର ଏବଂ କୁଲଦୀପ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ମହମ୍ମଦ ସାମୀ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କୁ ତୃତୀୟ ଦିନିକିଆରେ ବିଶ୍ରାମ ଦିଆଯାଇପାରେ ।

ତୃତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାୟକଓ୍ବାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଲୋକେସ ରାହୁଲ, ଋଷଭ ପନ୍ତ (ଓ୍ବିକେଟ କିପର), ଦୀପକ ହୁଡ୍ଡା, ଦୀପକ ଚହର, କୁଲଦୀପ ଯାଦବ, ଆବେଶ ଖାନ ଏବଂ ପ୍ରସିଦ୍ଧ କ୍ରିଷ୍ଣା

Spread the love