ଦାମ୍ପତ୍ୟ ଜୀବନ‌ରେ ଫାଟ କ’ଣ ସଫଳତାକୁ ଅଟକାଏ ? ଭୁଲ ପ୍ରମାଣିତ କଲେ କ୍ରିକେଟର୍ ସାମି

ପ୍ରେମ ବିବାହ କରି ୪ ବର୍ଷର ସଂସାର ପରେ ମହମ୍ମଦ ସାମିଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ପତ୍ନୀ ହସିନ୍‌ ଜାହାଁ। ୨୦୧୨ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଖେଳୁଥିଲା ବେଳେ ସାମିଙ୍କର ଦେଖାହୁଏ ହସିନ୍‌ଙ୍କ ସହ। ସେତେବେଳେ ହସିନ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସର ଚିୟରଲିଡର ଥିଲେ। ସେଇଠି ପହିଲି ଦେଖାରୁ ଆରମ୍ଭ ହୋଇଥିଲା ମଧୁର ସମ୍ପର୍କ। ଏ ସମ୍ପର୍କ ଆଗକୁ ବଢ଼ିବାରୁ ଉଭୟଙ୍କ ପରିବାରର ସହମତିରେ ବିବାହ ସ୍ଥିର ହୋଇଥିଲା। ୨୦୧୪ ଜୁନ୍‌ ୬ରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ୨୦୧୫ ଜୁଲାଇରେ ଉଭୟ ଏକ କନ୍ୟା ସନ୍ତାନ ‘ଆଇରା’କୁ ପାଇଲେ। ଏହି ୩ ପ୍ରାଣୀ କୁଟୁମ୍ବଙ୍କ ସଂସାର ଭଲରେ ଚାଲିଲା। ଏହା ମଧ୍ୟରେ ସାମିଙ୍କୁ ସନ୍ଦେହ କରିବାକୁ ଲାଗିଲେ ହସିନ୍‌ ଏବଂ ଅନେକ ଝିଅଙ୍କ ସହ ସାମିଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଲେ। ଏହାପରେ ୨୦୧୮ ମାର୍ଚ୍ଚରେ ସାମିଙ୍କ ବିରୋଧରେ ଯାଦବପୁର ଥାନାରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଯୌତୁକ ନିର୍ଯାତନା ନେଇ ହସିନ୍‌ ଏତଲା ଦେଇଥିଲେ। ଏପରିକି ସାମି ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ବୋଲି ମଧ୍ୟ ସେ ଅଭିଯୋଗ ଆଣିଥିଲେ। ଏସବୁ ଦେଖି ସାମିଙ୍କ ସହ ସମସ୍ତ ଚୁକ୍ତି ବିସିସିଆଇ ବାତିଲ କରିବା ସହ ତଦନ୍ତ କରିଥିଲା। ବିସିସିଆଇର ଦୁର୍ନୀତି ନିବାରଣ ସଂସ୍ଥା ଏହା ଉପରେ ତଦନ୍ତ କରି ସାମିଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଫଳରେ, ସେହି ମାସରେ ହିଁ ବିସିସିଆଇ ପୁଣି ସାମିଙ୍କ ସହ ଚୁକ୍ତି କରିଥିଲା। ‌

ହସିନ୍‌ଙ୍କ ଅଭିଯୋଗ ପରେ ସାମି ମାନସିକ ଭାରସାମ୍ୟ ହରାଇ ୩ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ ବି କରିଛନ୍ତି। ହେଲେ, ପରିବାରର ହସ୍ତକ୍ଷେପ ଯୋଗୁଁ ‌ସେ ଏଭଳି ଖରାପ ନିଷ୍ପତ୍ତିରୁ ଓହରି ଯାଇଥିଲେ ବୋଲି କହିଥିଲେ ସାମି। ଏହି ମାମଲା ଏପର୍ଯ୍ୟନ୍ତ ତୁଟିନି। ଏହି ୪ ବର୍ଷର ମାମଲା କୋର୍ଟରେ ଏବେ ମଧ୍ୟ ଚାଲିଛି। ଏସବୁ ମାନସିକ ଚାପକୁ ଭୁଲି ଏବଂ ଭାଙ୍ଗି ନପଡ଼ି ନିଜ ଖେଳରେ ମନଦେବା ସହ ସଫଳତାର ଶିଡ଼ି ଚଢ଼ି ଚାଲିଛନ୍ତି ସାମି। ସମସ୍ତେ ଭାବିଥିଲେ ଏଭଳି ମାମଲା ତାଙ୍କ କ୍ରିକେଟ୍‌ ଜୀବନରେ ବାଧା ପହଞ୍ଚାଇବ, କିନ୍ତୁ ସେମିତି ହୋଇନି। ‌ଅଦାଲତରେ ବାରମ୍ବାର ‌ଜାମିନ ପାଇବା ସହ ଗିରଫଦାରୀ ଏଡ଼ାଇ ନିଜର ପ୍ରଦର୍ଶନ ବଳରେ ଜାତୀୟ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ସାମିଙ୍କୁ ମଧ୍ୟ ବିରାଟ କୋହଲିଙ୍କ ସହ ଅନ୍ୟ ସାଥୀ ଖେଳାଳିମାନେର ସମର୍ଥନ ଦେଇ ଆସୁଛନ୍ତି। ୨୦୧୮ ମାମଲା ପରେ ମଧ୍ୟ ତାଙ୍କର ପ୍ରଦର୍ଶନ ଖରାପ ହୋଇନି, ବରଂ ଏଥିରେ ଉନ୍ନତି ଦେଖିବାକୁ ମିଳିଛି।

ନିକଟରେ ଶେ‌ଷ ହୋଇଥିବା ବିଶ୍ବକପ୍‌ରେ ପ୍ରଥମ ୪ ମ୍ୟାଚ୍‌ ଖେଳି ନଥିଲେ ବି ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ୫ ୱିକେଟ୍‌ ସଫଳତା ପାଇଥିଲେ ସାମି। ଏପରିକି ଏହି ପ୍ରତିଯୋଗିତାରେ ୭ ମ୍ୟାଚ୍‌ ଖେଳି ଶ୍ରେଷ୍ଠ ପ୍ରଦର୍ଶନ ୭/୫୭ ସହ ୨୪ ୱିକେଟ୍‌ ଦଖଲ କରି ସର୍ବାଧିକ ୱିକେଟ୍‌ ହାସଲକାରୀ ହେବାର ଗୌରବ ପାଇଛନ୍ତି। ଏଥିରେ ୩ ଥର ୫ ୱିକେଟ୍‌ ଓ ଥରେ ୪ ୱିକେଟ୍‌ ସଫଳତା ସାମିଲ ଅଛି। ୨୦୧୩ରେ ଅନ୍ତର୍ଜାତୀୟ ପଦାର୍ପଣ ପରେ ୨୦୧୮ ପର୍ଯ୍ୟନ୍ତ ସେ ସମସ୍ତ ଫର୍ମାଟ୍‌ରେ ମୋଟ ୧୯୪ ୱିକେଟ୍‌ ନେଇଛନ୍ତି। ଏହାପରେ ସେ ୨୫୪ ୱିକେଟ୍‌ ନେଇ ନିଜର ୱିକେଟ୍‌ ସଂଖ୍ୟା ୩୯୮ରେ ପହଞ୍ଚାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୭ ୱିକେଟ୍‌ ସଫଳତା ପରେ ସାମାଜିକ ଗଣମାଧ୍ୟମରେ ହସିନ୍‌ କହିଥିଲେ, ‘ସେ ଜଣେ ଭଲ ଖେଳାଳି ଭଳି ଭଲ ବ୍ୟକ୍ତି ହୋଇଥିଲେ ଆମେ ଭଲରେ ରହିପାରିଥା’ନ୍ତୁ। ସେ ଭଲ ବ୍ୟକ୍ତି ହୋଇଥିଲେ ମୋ ଝିଅ, ସେ ଓ ମୁଁ ଖୁସିରେ ଜୀବନ ବିତାଇ ପାରିଥାନ୍ତୁ। ଖାଲି ଖେଳାଳି ନୁହେଁ, ଯଦି ସେ ଜଣେ ଭଲ ସ୍ବାମୀ ଓ ବାପା ହୋଇଥା’ନ୍ତେ, ତେବେ ଆହୁରି ତାଙ୍କର ସମ୍ମାନ ବଢ଼ି ପାରିଥା’ନ୍ତା।’

Spread the love