ଦିଲ୍ଲୀରେ ଭାଙ୍ଗୁଛି କେଜ୍ରିୱାଲଙ୍କ ଗଡ଼ । ପୂର୍ବତନ ମନ୍ତ୍ରୀ, ବିଧାୟକ ବିଜେପିରେ ସାମିଲ

ଆମ୍ ଆଦମୀ ପାର୍ଟି ସରକାରରେ ପୂର୍ବତନ ମନ୍ତ୍ରୀ ରାଜକୁମାର ଆନନ୍ଦ ବିଜେପିରେ ସାମିଲ ହୋଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେ ଆପ୍ ରୁ ଇସ୍ତଫା ଦେଇ ବିଏସପିରେ ସାମିଲ ହୋଇଥିଲେ । ଏବେ ପୁଣିଥରେ ସେ ବିଏସପି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଆପ୍ ବିଧାୟକ କରତାର ସିଂ ତମ୍ବର, ରତ୍ନେଶ ଗୁପ୍ତା, ସଚିନ ରାୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ପୂର୍ବତନ ବିଧାୟକ ବିଣା ଆନନ୍ଦ ଓ ପାର୍ଷଦ ଅମେଦ ସିଂ ଫୋଗାଟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ନେତାମାନେ ଆଜି ବିଜେପି ଦିଲ୍ଲୀ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଓ ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।ଆଜି ବିଜେପିରେ ଯେଉଁ ବିଧାୟକ ଓ ପୂର୍ବତନ ବିଧାୟକମାନେ ଯୋଗ ଦେଇଛନ୍ତି ତାହାର ନେତୃତ୍ୱ ନେଇଥିଲେ ରାଜକୁମାର ଆନନ୍ଦ । ଚଳିତ ଲୋକସଭା ନିର୍ବାଚନରେ ରାଜକୁମାର ଆନନ୍ଦ ଦିଲ୍ଲୀ ଆସନରୁ ବିଏସପି ଟିକେଟରୁ ନିର୍ବାଚନ ଲଢିଥିଲେ । ହେଲେ ତାଙ୍କୁ ମୋଟ ୫୬୨୯ ଖଣ୍ଡ ଭୋଟ ମିଳିଥିଲା । ଏହି ଆସନରୁ ବାଂଶୁରୀ ସ୍ୱରାଜ ବିଜୟୀ ହୋଇଥିଲେ । ଏଠାରୁ ଆପ୍ ଟିକେଟରୁ ନିର୍ବାଚନ ଲଢିଥିବା ସୋମନାଥ ଭାରତୀଙ୍କୁ ବାଂଶୁରୀ ସ୍ୱରାଜ ୭୮୩୭୦ ଖଣ୍ଡ ଭୋଟରେ ପରାଜିତ କରିଥିଲେ । ପଟେଲ ନଗରର ପୂର୍ବତନ ବିଧାୟକ ରାଜକୁମାର ଆନନ୍ଦ କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳରେ ସମାଜ କଲ୍ୟାଣ ମନ୍ତ୍ରୀଥିଲେ ।

Spread the love