ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ

ଜଳକା ନଦୀ ଜଳସ୍ତର ବିପଦ ସଙ୍କେତ ଟପିଛି । ବୈତରଣୀ, ବଂଶଧାରାର ଜଳସ୍ତର ସତର୍କ ସଙ୍କେତ ପାର୍‌ କରିଯାଇଛି । ୨୦ଟି ଗେଟ୍‌ ଯୋଗେ ହୀରାକୁଦରୁ ୩ ଲକ୍ଷ ୪୦ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୩ଲକ୍ଷ ୭୫ ହଜାର କ୍ୟୁସେକ୍‌ ଜଳ ଚାଲିଛି । ଏହି ଚିତ୍ର ଶୁକ୍ରବାର ସନ୍ଧ୍ୟାର ।

ଲଘୁଚାପ ପ୍ରଭାବରେ ଆଗକୁ ଦୁଇ ଦିନ ଭୀଷଣ ବର୍ଷା ହେବ । ଆସନ୍ତା ୧୩ ଓ ୧୪ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍‌ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କହୁଛି, ୧୩ ଓ ୧୪ ତାରିଖ ଦୁଇ ଦିନ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ନଦୀ ଓ ଏହାର ଅବବାହିକାରେ ପ୍ରବଳ ବର୍ଷା ହେବ । ୧୩ରେ ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ତଳମୁଣ୍ଡ, ମହାନଦୀର ଉଭୟ ଉପର ଓ ତଳ ଅଞ୍ଚଳ,ବର୍ଷା ହୋଇପାରେ । ତେବେ ୧୪ରେ ମହାନଦୀର ଉପର ଓ ତଳ ମୁଣ୍ଡରେ ୫୧ରୁ ୭୫ମିମି ଯାଏ ବର୍ଷିବ । ଋଷିକୂଲ୍ୟା, ବଂଶଧାରା ଓ ବ୍ରାହ୍ମଣୀରେ ବି ପ୍ରବଳ ଢାଳିବ । ବର୍ଷା ଯୋଗୁ ଏହି ସବୁ ନଦୀର ଜଳସ୍ତର ବଢ଼ିପାରେ । ଏହା ବନ୍ୟା ଡାକି ଆଣିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

 ୧୪ ତାରିଖ ଅପରାହ୍ନରୁ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବ । ଛତିଶଗଡ଼ରେ ଭାରୀ ବର୍ଷା ହୋଇପାରେ । ଏହାଫଳରେ ମହାନଦୀରେ ଜଳସ୍ତର ବଢ଼ିବ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ୧୩ରେ ଉପକୂଳ ଓଡ଼ିଶା ଓ ଏହାର ପାଖ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୪ରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । 

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରି କହିଛି, ପଶ୍ଚିମ ମିଆଁମାର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ଏହାର ପ୍ରଭାବରେ ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ।

୧୩ ଓ ୧୪ ତାରିଖରେ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ଛେଚିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ଭାଙ୍ଗି ଯାଇପାରେ ବୋଲି ବିଭାଗ ସତର୍କ କରାଇଛି ।

 ୧୪ ତାରିଖରେ ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ସମ୍ବଲପୁର ଓ ବରଗଡ଼ରେ ଭୀଷଣ ବର୍ଷା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଅତି ଭୀଷଣ ବର୍ଷା ହେବ ବୋଲି ବିଭାଗ ସତର୍କତା ଜାରି କରିଛି । ୧୫ରେ ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ୧୫ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିିବାକୁ ପରାମର୍ଶ ଦିଆଯାଇଛି ।

 ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାର ଟେନ୍‌ସାରେ ୧୧୩, ଦେବଗଡ଼ର ବାରକୋଟ୍‌ରେ ୧୧୨.୮, ସୁନ୍ଦରଗଡ଼ର ବଣାଇଗଡ଼ରେ ୧୦୭, ସମ୍ବଲପୁର କୁଚିଣ୍ଡାରେ ୯୦, କେନ୍ଦ୍ରାପଡ଼ାର ମାର୍ଶାଘାଇରେ ୭୨ ଓ ହୀରାକୁଦରେ ୬୨ ମିମି ବର୍ଷା ହୋଇଛି । ଗୁରୁବାର ସକାଳୁ ସନ୍ଧ୍ୟା ଭିତରେ କେନ୍ଦୁଝରରେ ୨୮, କଟକରେ ୧୫, ଜଗତସିଂହପୁରରେ ୧୫, ସୋନପୁରରେ ୧୩, ବୌଦ୍ଧରେ ୧୩ ମିମି ବର୍ଷା ହୋଇଛି ।

Spread the love