ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ, ୩୭ ଦିନରେ ରାୟ
ଭୁବନେଶ୍ୱର : ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଜି ସ୍ୱତନ୍ତ୍ର ବିଚାରପତି (ପକ୍ସୋ) ଭୁବନେଶ୍ୱର ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାର ବିଚାରକରି କୋର୍ଟ ମାତ୍ର 37 ଦିନ ମଧ୍ଯ଼ରେ ରାୟ ଶୁଣାଇଛନ୍ତି । ଭୁବନେଶ୍ୱର ଚନ୍ଦକା ଥାନା କେସ ନମ୍ବର 347 ରେ ଗତ 02.09.2025 ତାରିଖରେ ଏହି ଦୁଷ୍କର୍ମ ମାମଲା ମୁନା ବେହରା ନାମରେ ଦାୟର ହୋଇଥିଲା ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨ ତାରିଖରେ ଚନ୍ଦକା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଚନ୍ଦକା ଥାନା ପୋଲିସ ଗିରଫ କରିଥିଲା । ଖୁଦୁରୁକୁଣି ପୂଜା କରିବା ପାଇଁ ଯାଉଥିବା ବେଳେ ବାଟରୁ ପାଟି ବନ୍ଦ କରି ଟେକି ନେଇଥିଲା ଅଭିଯୁକ୍ତ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ନାବାଳିକା । ତେବେ ଏହି ଘଟଣାରେ କମିଶନରେଟ୍ ପୋଲିସ୍ ଗୁରୁତ୍ଵ ସହ ନେଇ ଚନ୍ଦକା ଥାନା ସବ ଇନ୍ସପେକଟର ଜ୍ୟୋତ୍ସ୍ନା ରାଣି ପ୍ରଧାନ , ଓ ଇନ୍ସପେକ୍ଟର ସମିତା ମିଶ୍ରଙ୍କ ନେତୃତ୍ୱରେ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।
ଆଜି ସ୍ୱତନ୍ତ୍ର ବିଚାରପତି (ପକ୍ସୋ) ମାମଲାର ବିଚାର କରି ଅଭିଯୁକ୍ତ ମୁନା ବେହରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ 5 ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ଏଥିସହ କୋର୍ଟ ପୀଡ଼ିତାଙ୍କୁ ଛଅ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱରର ଡେପୁଟି ଡାଇରେକ୍ଟର, ପ୍ରସିକ୍ଯ଼ୁସନ, ହେମନ୍ତ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିଯ଼ଦର୍ଶିନୀ ଏହି ମାମଲା ପରିଚାଳନା କରୁଥିଲେ ।
