ଦେବଭୂମି ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ, ବାଦଲଫଟା ବର୍ଷା ଯୋଗୁଁ ଅନେକ ହୋଟେଲ ଓ ଦୋକାନ କ୍ଷତିଗ୍ରସ୍ତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଡେରାଡୁନର ପ୍ରସିଦ୍ଧ ସହସ୍ତ୍ରଧାରାରେ ପ୍ରକୃତିର ତାଣ୍ଡବ । ବିଳମ୍ୱିତ ରାତିରେ ବାଦଲ ଫାଟି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ପାଣିରେ ଭାସିଯାଇଛି କିଛି ଦୋକାନ । କାଦୁଅ ମିଶା ପାଣି ସହ ପଥର ଘରେ, ଦୋକାନରେ ଧସେଇ ପଶିଛି ।

ସ୍ଥାନୀୟ ଜନପ୍ରତିନିଧି ମୁତାବକ, ମୁଖ୍ୟ ବଜାରରେ ମାଟି ଆସିବା ଯୋଗୁଁ ୨ରୁ ୩ଟି ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ତପ୍କେଶ୍ୱର ମହାଦେବ ମନ୍ଦିରରେ ପାଣି ପଶିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ସଭିନ୍ ବଂଶଲ୍ ଦାୟିତ୍ୱ ଗ୍ରହଣ କରିଥିଲେ । SDRF, NDRF ଏବଂ ପବ୍ଲିକ ୱାର୍କସ ବିଭାଗ ଦ୍ୱାରା JCB ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଡେରାଡୁନରେ ବାଦଲ ଫାଟିବା ଯୋଗୁଁ ଋଷିକେଶର ଚନ୍ଦ୍ରଭାଗା ନଦୀ ଉଛୁଳି ପଡ଼ିଛି । ନଦୀ ପାଣି ରାଜପଥରେ ପହଞ୍ଚିଛି । ଚନ୍ଦ୍ରଭାଗା ନଦୀରେ ଫସି ରହିଥିବା ତିନି ଜଣଙ୍କୁ SDRF ଦଳ ଉଦ୍ଧାର କରିଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଏସଡିଏମ କୁମକୁମ ଜୋଶୀ ରାତିରେ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ପ୍ରବଳ ବର୍ଷା ଯୋଗୁଁ ଡେରାଡୁନର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ଦୋକାନ ବୁଡିଛି, ମନ୍ଦିର ବି ପାଣି ଘେରରରେ ରହିଛି । ପାଣିରେ ୨ ଜଣ ଭାସି ଯାଇ ନିଖୋଜ ଥିବା ସୂଚନା ମିଳିଛି । ଆଇଟି ପାର୍କ ଡେରାଡୁନରେ ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ପାଣି ଆସିବା ଯୋଗୁଁ ଅନେକ ଯାନବାହନ ରାସ୍ତାରେ ଖେଳଣା ପରି ଭାସୁଥିବା ଦେଖାଯାଇଥିଲା ।

ବାଦଲ ଫଟା ବର୍ଷାରେ କ୍ଷୟକ୍ଷତିକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ”ସହସ୍ତ୍ରଧାରାରେ ବିଳମ୍ବିତ ରାତିରେ ବାଦଲଫଟା ବର୍ଷାରେ କିଛି ଦୋକାନ କ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ, ଏସଡିଆରଏଫ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ଏ ନେଇ ମୁଁ ନିରନ୍ତର ସ୍ଥାନୀୟ ପ୍ରଶାସନ ସମ୍ପର୍କରେ ରହିଛି ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ।

Spread the love