ଦୋକାନ ଓ ବ୍ୟବସାୟ ପାଇଁ ନୂଆ ନିୟମ : ରାତିରେ କାମ କରିପାରିବେ ମହିଳା, ବଢ଼ିଲା ଓଭରଟାଇମ୍ ସୀମା
ଭୁବନେଶ୍ୱର : ରାତିରେ କାମ କରିପାରିବେ ମହିଳା । ଏହାସହ ବଢ଼ିଲା ଓଭରଟାଇମ୍ ସୀମା । ଦୋକାନ ଓ ବ୍ୟବସାୟ ପାଇଁ ନୂଆ ନିୟମ । ରାଜ୍ୟରେ ବ୍ୟବସାୟକୁ ଅଧିକ ସହଜ କରିବା ଏବଂ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬’ରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଗୃହୀତ ହେଲା ଓଡ଼ିଶା ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ (ସଂଶୋଧନ) ବିଲ୍ ୨୦୨୫। ନୀତି ଆୟୋଗଙ୍କ ପରାମର୍ଶ କ୍ରମେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଛି।
ଏହି ନୂଆ ବିଲ୍ ରେ ଛୋଟ ବ୍ୟବସାୟୀଙ୍କୁ ଆଶ୍ୱସ୍ତି। ଯେଉଁ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନରେ ୨୦ ଜଣ ପର୍ଯ୍ୟନ୍ତ କର୍ମଚାରୀ କାମ କରୁଛନ୍ତି, ସେମାନଙ୍କୁ ଏହି ଆଇନର କଡ଼ା ନିୟମାବଳୀ ପରିସରରୁ ବାଦ୍ ଦିଆଯିବ। ଏହାଦ୍ୱାରା ଛୋଟ ବ୍ୟବସାୟୀଙ୍କ ଉପରୁ ନିୟମ ପାଳନର ବୋଝ କମିବ। ଜଣେ କର୍ମଚାରୀଙ୍କ ଦୈନିକ କାମ କରିବାର ସୀମା ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରାଯିବ। କିନ୍ତୁ ସପ୍ତାହକୁ ମୋଟ କାମ ସମୟ ୪୮ ଘଣ୍ଟା ମଧ୍ୟରେ ସୀମିତ ରହିବ। ବିଶ୍ରାମ ନିୟମକୁ ସରଳ କରାଯାଇଛି। ଲଗାତାର ୬ ଘଣ୍ଟା କାମ କରିବା ପରେ କର୍ମଚାରୀ ୩୦ ମିନିଟ୍ ର ବିରତି ନେଇପାରିବେ। ବର୍ତ୍ତମାନର ଚାହିଦାକୁ ଦେଖି ଓଭରଟାଇମ୍ ସୀମା ବଢ଼ାଯାଇଛି ।
ତିନି ମାସ ଭିତରେ ଓଭରଟାଇମ୍ ସୀମା ୫୦ ଘଣ୍ଟାରୁ ବଢ଼ି ୧୪୪ ଘଣ୍ଟା ହେବ। ବ୍ୟବସାୟୀମାନେ ଆବଶ୍ୟକ ବେଳେ ଅଧିକ କାମ କରାଇପାରିବେ। ଇଚ୍ଛୁକ କର୍ମଚାରୀମାନେ ଅଧିକ ଓଭରଟାଇମ୍ କରି ଦୁଇଗୁଣା ମଜୁରୀ ରୋଜଗାର କରିପାରିବେ। ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ପାଇଁ ମହିଳା କର୍ମଚାରୀଙ୍କ ଉପରେ ଥିବା ରାତ୍ରିକାଳୀନ କଟକଣା ହଟାଇ ଦିଆଯିବ। ଏଣିକି ମହିଳାମାନେ ନିଜର ଲିଖିତ ସମ୍ମତି ଦେଇ ରାତିରେ କାମ କରିପାରିବେ। ରାତିରେ କାମ କରୁଥିବା ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ଯାତାୟାତ ବ୍ୟବସ୍ଥା ପାଇଁ ସରକାର କଡ଼ା ନିୟମ ଲାଗୁ କରିବେ। ଏହି ପରିବର୍ତ୍ତନ ଦ୍ୱାରା ରାଜ୍ୟରେ ‘ବ୍ୟବସାୟିକ ସୁଗମତା’ ବୃଦ୍ଧି ପାଇବ। ମହିଳାମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
