ନୀରଜ ଚୋପ୍ରାଙ୍କ ପ୍ରଶିକ୍ଷକ ପଦ ଛାଡ଼ିଲେ ଜାନ୍ ଜେଲେନଜି
ଭାରତର ଅଲିମ୍ପିକ ବିଜେତା ଜାଭେଲିନ ତାରକା ନିରଜ ଚେ।ପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ପ୍ରଶିକ୍ଷକ ତଥା କିମ୍ବଦନ୍ତୀ ଜାଭେଲିନ ଥ୍ରୋଅର ଜାନ ଜେଲେନଜି ନିଜ ଦାୟିତ୍ବରୁ ଅବ୍ୟାହତି ଗ୍ରହଣ କରିଛନ୍ତି । ପରସ୍ପର ଆପୋଷ ବୁଝାମଣାରେ ଜେଲେନଜି ନିଜ ଦାୟିତ୍ବ ଛାଡ଼ିଛନ୍ତି । ଜେଲେନଜି ଗତ ୨୦୨୪ ନଭେମ୍ବର ମାସରେ ନୀରଜଙ୍କ କୋଚ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ପ୍ରାୟ ଏକ ବର୍ଷ ପରେ ତାଙ୍କର କୋଚିଂ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ତାଙ୍କ ପ୍ରଶିକ୍ଷଣରେ ନୀରଜ କେତେକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ବିଶେଷକରି ୨୦୨୫ରେ ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗରେ ସେ ପ୍ରଥମ ଥର ପାଇଁ ୯୦ ମିଟର ସୀମା ଅତିକ୍ରମ କରିଥିଲେ । ନିଜର କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏଥିପାଇଁ ନୀରଜ ପ୍ରଶିକ୍ଷକ ଜେଲେନଜିଙ୍କୁ ଶ୍ରେୟ ଦେଇଛନ୍ତି । ନୀରଜ କହିଛନ୍ତି ଯେ ଜେଲେନଜିଙ୍କ ପ୍ରଶିକ୍ଷଣରେ ସେ ଏହି କ୍ରୀଡ଼ାର ନୂଆ ନୂଆ ବୈଷୟିକ ଦିଗ ସଂପର୍କରେ ଜାଣିପାରିଥିଲେ । ଏହା ସହିତ ଏହି କ୍ରୀଡ଼ାର ତାଳ ଓ ଗତି ସମ୍ପର୍କରେ ସେ ନୂଆ ଚିନ୍ତାଧାରା ହାସଲ କରିଥିଲେ, ଯାହାକି ତାଙ୍କ କ୍ରୀଡ଼ାକୌଶଳକୁ ଉନ୍ନତ କରିବାରେ ସହାୟକ ହୋଇଥିଲା।
ଚେକ ଗଣତନ୍ତ୍ରର ଜାନ ଜେଲେନଜିଙ୍କୁ ଜାଭେଲିନ ଥ୍ରୋ କ୍ରୀଡ଼ାର ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ାବିତଙ୍କ ମଧ୍ୟରେ ଗଣାଯାଏ । ସେ ତିନୋଟି ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ (୧୯୯୨, ୧୯୯୬ ଓ ୨୦୦୦) ଓ ତିନିଥର (୧୯୯୩, ୧୯୯୫, ୨୦୦୧) ବିଶ୍ବ ଚାମ୍ପିୟନ ହୋଇଥିଲେ। ଜାଭେଲିନ ଥ୍ରୋ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ମନେକରାଯାଉଥିବା ୯ଟି ଥ୍ରୋ ମଧ୍ୟରୁ ପାଞ୍ଚଟି ତାଙ୍କ ନାଁରେ ରହିଛି । ତାଙ୍କର ୯୮.୪୮ ମିଟରର ଜାଭେଲିନ ଥ୍ରୋ ଏବେ ବି ବିଶ୍ବରେକର୍ଡ ହୋଇ ରହିଛି।
