ପବ୍‌ଜି’ ନେଲା ଯୁବକଙ୍କ ଜୀବନ

ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସିଏଲଲଟି ଗ୍ରାମରେ ଗତକାଲି ରାତିରେ (ରବିବାର) ଏକ ଦୁଃଖଦ ଘଟଣା ଘଟି ଯାଇଛି। ମୋବାଇଲ୍‌ରେ ପବଜି  ଗେମ୍ ଖେଳୁ ଖେଳୁ ରେଳଧାରଣାକୁ ଚାଲି ଯାଇଥିବା ଯୁବକଙ୍କ ଉପରେ ଟ୍ରେନ୍‌ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ କ୍ଷୀରମୋହନ ମାଝି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜିକାଲି ଯୁବପିଢ଼ିଙ୍କର ସବୁଠାରୁ ପ୍ରିୟ ଖେଳ ପାଲଟିଛି ପବଜି । ଏହି ପବଜି ଖେଳରେ ପିଲାମାନେ ଏଭଳି ମୋହିତ ହୋଇ ଯାଉଛନ୍ତି  ସ୍ଥାନ କାଳ ପାତ୍ର ପାଶେ‌ାରି ଯାଉଛନ୍ତି। ସେମାନଙ୍କୁ ଚାରିପାଖରେ କଣ ଘଟୁଛି  କିଛି ଜଣାପଡ଼ୁ ନାହିଁ। ତେବେ ଏହି ଖେଳ ଜଣେ ଯୁବକଙ୍କ ପାଇଁ କାଳ ହୋଇଯାଇଛି।ଗତକାଲି ରାତିରେ କ୍ଷୀରମୋହନ ମାଝି ନାମକ ଯୁବକ ନିଜ ଫୋନ୍‌ରେ ପବଜି ଖେଳୁଥିଲେ। ଏହି ଖେଳ ଖେଳୁଥିବା ସମୟରେ ସେ ସିଏଲଲଟିଠାରେ ରେଳଧାରଣାକୁ ଅଜାଣତରେ ଚାଲି ଆସିଥିଲେ। ଖେଳରେ ସେ ଏତେ ମଜି ଯାଇଥିଲେ ଯେ ରେଳ ଧାରଣାକୁ ଚାଲି ଆସିଥିବା ନେ ଜାଣି ପାରି ନ ଥିଲେ।ଫଳରେ ଦ୍ରୁତଗତିରେ ଆସୁଥିବା ପ୍ରବାସୀ ଟ୍ରେନ୍‌ କ୍ଷୀରମୋହନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଆଖିପିଛୁଳାକେ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ରାତି ଅଧିକ ହୋଇଯାଇଥିବାରୁ କେହି ଏହି ଘଟଣା ବିଷୟରେ ଜାଣି ପାରି ନ ଥିଲେ। ଆଜି ସକାଳେ ସ୍ଥାନୀୟଲୋକ କ୍ଷୀରମୋହନଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ଦେଖି ରେଳବାଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପୁଲିସକୁ ହସ୍ତାନ୍ତର କରିଛି। ଏହି ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।

Spread the love