ପରୀକ୍ଷା ପେ ଚର୍ଚ୍ଚା’ରେ ବିଦ୍ୟାର୍ଥୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ, ଏପ୍ରିଲ ୧ରେ ଦିଲ୍ଲୀରେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ ୨୮/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଏପ୍ରିଲ ୧ ତାରିଖରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ସିଧା କଥା ହେବେ । ଚଳିତ ଥର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ଅଧିକ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏପ୍ରିଲ ୧ ସକାଳ ୧୧ଟାରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣ ଆୟୋଜନ କରାଯିବ। ଏଥିରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପ୍ରାୟ ଏକ ହଜାର ବିଦ୍ୟାର୍ଥୀ ସାମିଲ ହେବ। କାର୍ଯ୍ୟକ୍ରମରେ ଦିଲ୍ଲୀ-ଏନସିଆର, ୟୁପି ଏବଂ ହରିୟାଣାର ସରକାରୀ ସ୍କୁଲ ଏବଂ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହେବ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ।

ଚଳିତ ଥର ଭାରତର ସବୁ ରାଜ୍ୟର ରାଜ୍ୟପାଳ ରାଜଭବନରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସହ ସିଧା କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ମଧ୍ୟ ସୂଚନା ଦେଇ କହିଛନ୍ତି, ଯେଉଁଠାରେ ଅଧିକ ସଂଖ୍ୟାରେ ଭାରତୀୟ ଅଛନ୍ତି ସେଠାକାର ଦୂତାବାସ ଗୁଡିକରେ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କରୋନା ମହାମାରୀ ପରେ ପୂର୍ଣ୍ଣ ରୂପେ ପରୀକ୍ଷାର ଆୟୋଜନ ହେବ। ଏହିପରି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ଚାପମୁକ୍ତ ରହିବେ।

Spread the love