ପାକିସ୍ତାନ ଯୋଗୁ ତାଲିବାନ ବି ଏବେ ଫାଳଫାଳ : କ୍ଷମତା ପାଇଁ ମୁଲ୍ଲା ବରାଦର ଓ ହକ୍କାନୀ ମୁହାଁମୁହିଁ !

 ଆଫଗାନିସ୍ତନାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଥିବା ତାଲିବାନ ଏବେ ସରକାର ଗଠନ ପାଇଁ ସଜବାଜ ହେଲାଣି । କିନ୍ତୁ ତାଲିବାନର ଶୀର୍ଷ ନେତା କିଏ ହେବ ଏବେ ସେ ନେଇ ବିବାଦ ଆରମ୍ଭ ହେଲାଣି । କ୍ଷମତାର ଶୀର୍ଷରେ କିଏ ରହିବ ସେ ନେଇ ୩ଟି ନାଁ ସାମ୍ନାକୁ ଆସୁଛି । ମୁଲ୍ଲା ଅବଦୁଲ ଗନୀ ବରାଦର, ହିବତୁଲ୍ଲାହ ଅଖୁଣ୍ଡଜାଦା ଏବଂ ସିରାଜୁଦ୍ଦୀନ ହକ୍କାନୀଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ତାଲିବାନର ସୁପର ପାଓ୍ବାର କିଏ ହେବ ସେ ନେଇ ଭାଗ ଛିଡୁନାହିଁ । ଯାହାଫଳରେ ନିଜ ନିଜ ମଧ୍ୟରେ ହିଁ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ମୁଲ୍ଲା ବରାଦର ଏବଂ ସିରାଜୁଦ୍ଦୀନ ହକ୍କାନୀ ମଧ୍ୟରେ ସରକାର ଜଠନକୁ ନେଇ ଟକ୍‌ରାଟକ୍‌ରୀ ଜାରିରହିଛି । ଏହା ବାଦ୍‌ ଆଉ କିଛି ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ତୀବ୍ର ହେଉଥିବା ଜଣାପଡିଛି । ଯାହା ଫଳ​‌ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ବିଳମ୍ବ ହେବାରେ ଲାଗିଛି ।

ମୁଲ୍ଲା ଅବଦୁଲ ଗନୀ ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ପ୍ରବଳ ଦାବିଦାର ହୋଇଛି । ୧୯୯୪ ମସିହାରେ ୪ ଜଣ ମିଶି ତାଲିବାନ ପ୍ରତିଷ୍ଠା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲା ମୁଲ୍ଲା ବରାଦର । ୨୦୦୧ରେ ଆଫଗାନିସ୍ତାନରେ ଯେତେବେଳେ ଆମେରିକା, ତାଲିବାନକୁ ସତ୍ତାରୁ ବିଦା କରିଥିଲା ସେତେବେଳେ ମୁଲ୍ଲା ବାରଦର ହିଁ ତାଲିବାନର ପ୍ରମୁଖ ଚେହେରା ହୋଇ ଛିଡା ହୋଇଥିଲା । ମୁଲ୍ଲା ବରାଦରକୁ ପ୍ରବଳ ବିରୋଧ କରୁଛି ହକ୍କାନୀ ନେଟଓ୍ବର୍କ । ହକ୍କାନୀ ନେଟ୍‌ଓ୍ବର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ କାହାକୁ ସତ୍ତାରେ ରଖିବାକୁ ଚାହୁଁନାହିଁ । ତାଲିବାନ ସହିତ ଥାଇ ମଧ୍ୟ ଆଫଗାନିସ୍ତାନରେ ନିଜର ଏକ ସ୍ବତନ୍ତ୍ର ସଂଗଠନ ରଖିଛି ହକ୍କାନୀ । ଏହା ସତିତ ଗୁପ୍ତ ତଥ୍ୟ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ମଧ୍ୟ ହକ୍କାନୀ ନେଟଓ୍ବର୍କର ଭଲ ସମ୍ପର୍କ ରହିଛି । ISI ମୁଖ୍ୟ ଫୈଜ ହମିଦ ଆଫଗାନିସ୍ତାନରେ ରହି ସରକାର ଗଠନ ପ୍ରକ୍ରିୟାରେ ସାମିଲ ହେବା ସହିତ ପଞ୍ଜଶୀର ଘାଟିରେ ହେଉଥିବା ଯୁଦ୍ଧ ଉପରେ ନଜର ରଖିଛନ୍ତି । ତେଣୁ କହିବାକୁ ଗଲେ ଆଫଗାନିସ୍ତାନରେ ତାଲିବାନର କେଉଁ ଗୋଷ୍ଠୀ ଶୀର୍ଷ କ୍ଷମତାରେ ରହିବେ ସେ ନେଇ ଖିଅ ବାହାରିପାରୁନାହିଁ ।

ପାକିସ୍ତାନ ସହିତ ଭଲ ସମ୍ପର୍କ ଥିବାରୁ ଆଫଗାନିସ୍ତାନରେ ନିଜେ କ୍ଷମତାରେ ରହିବାକୁ ଚାହୁଁଛି ହକ୍କାନୀ । ତେଣୁ ମୁଲ୍ଲା ବରାଦର ଏବଂ ସିରାଜୁଦ୍ଦିନ ହକ୍କାନୀ ମଧ୍ୟରେ ହିଂସା ତୀବ୍ର ହେବାର ଆଶଙ୍କା ଦେଖାଦେଇଛି । ନିଜ ତାକତ ବଳରେ ଆଫଗାନିସ୍ତାନରେ ବିଜୟୀ ହୋଇଥିବା କହିଛି ହକ୍କାନୀ । ଏହା ସହିତ ହକ୍କାନୀ ନେଟଓ୍ବର୍କକୁ ଚୀନର ମଧ୍ୟ ସମର୍ଥନ ରହିଥିବା ଜଣାପଡିଛି । ତେଣୁ କ୍ଷମତାରେ ରହିବାକୁ ଦାବି କରୁଛି ସିରାଜୁଦ୍ଦିନ ହକ୍କାନୀ । ତେବେ ଆଫଗାନିସ୍ତାନରେ କେବେ ଅସ୍ଥିରତା ଶେଷ ହେବ ଏବଂ କେବେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷିତ ହେବ ତାହା ଦେଖିବା ବାକି ରହିଲା ।

Spread the love