ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ, ଖର୍ଚ୍ଚ ହେବ ୧୦୬ କୋଟି ଟଙ୍କା

ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହେବ। ଏନେଇ ଇଣ୍ଡିଆନ ଅଏଲ ଏବଂ ଇଡକୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ପୂର୍ବରୁ ପାରାଦୀପ ସମେତ ଦେଶର ୪ଟି ସହରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏବେ ଇଡକୋ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦିଆଯିବା ପରେ ପ୍ଲାଷ୍ଟିକ ପାର୍କ କାମ ତ୍ବରାନ୍ବିତ ହେବ। ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ପୋର୍ଟ ପେଟ୍ରୋଲ ଓ ପ୍ଲାଷ୍ଟିକ। ପାରାଦୀପର ନୂଆ ପରିଚୟ। ପାରାଦୀପରେ ବିଶାଳ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ହେଲା ବୁଝାମଣା। ନୂଆ ଦିଲ୍ଲୀରେ ଇଣ୍ଡିଆନ ଅଏଲ ଏବଂ ଇଡ୍‌କୋ ମଧ୍ୟରେ ୨ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସମୟରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତ ବିକାଶ ଯୋଜନାରେ ପାରାଦୀପରେ ଶିଳ୍ପ ସମୂହ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। । ପାରାଦୀପ ପୋର୍ଟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ହେବାକୁ ଥିବା ଏହି ପ୍ଲାଷ୍ଟିକ ପାର୍କ ଓଡିଶାର ସର୍ବପ୍ରଥମ ଏବଂ ଦେଶର ଅନ୍ୟତମ ପ୍ଲାଷ୍ଟିକ ହବ୍‌ ହେବ। ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ୍‌ସ ରାଜ୍ୟର ଡାଉନଷ୍ଟ୍ରିମ୍‌ ଶିଳ୍ପର ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଶାଳ ପ୍ଲାଷ୍ଟିକ ପାର୍କ ପାଇଁ ରାଜ୍ୟ ସରକାର ୧୨୦ ଏକର ଜମି ଯୋଗାଇ ଦେଇଛନ୍ତି। ଏହି ପାର୍କ ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାକୁ ବାହାର ରାଜ୍ୟରୁ ପ୍ଲାଷ୍ଟିକ ସାମଗ୍ରୀ ଆମଦାନି ହୋଇଥାଏ। ଏବେ ପ୍ଲାଷ୍ଟିକ ପାର୍କ ହେଲେ ପ୍ଲାଷ୍ଟିକ ଆମଦାନି ବହୁମାତ୍ରାରେ କମିବ। ଏଥିସହିତ ଏଠାରେ ବହୁ ସଂଖ୍ୟାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବିଶେଷ କରି ଏଠାରେ ସିମେଣ୍ଟ ବ୍ୟାଗ ଅନ୍ୟାନ୍ୟ ଘରୋଇ ପ୍ଲାଷ୍ଟିକ ସାମଗ୍ରୀ ସହିତ ଟେକ୍ସଟାଇଲ ଶିଳ୍ପ ମଧ୍ୟ ଗଢ଼ି ଉଠିବ। ପ୍ଲାଷ୍ଟିକ ଶିଳ୍ପରେ ମନୋ ନିବେଶ କରିବାକୁ ଚାହୁଁଥିବା ଓଡ଼ିଆ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇପାରିବ। ଓଡ଼ିଆ ଶିଳ୍ପୋଦ୍ୟୋଗିଙ୍କୁ ଟନ ପିଛା ୨ହଜାର ଟଙ୍କା ଶସ୍ତାରେ କଞ୍ଚାମାଲ ଯୋଗାଇବ ଇଣ୍ଡିଆନ ଅଏଲ।

କେବଳ ପ୍ଲାଷ୍ଟିକ ନୁହେଁ ରାଜ୍ୟରେ ପେଟ୍ରୋକେମିକାଲ୍‌ ଶିଳ୍ପର ଅଧିକ ବିକାଶ ପାଇଁ ମଧ୍ୟ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଆନ ଅଏଲ ରାଜ୍ୟରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଜାରି ରଖିଛି। ଏବେ ବିଶୋଧନାଗାରର ଉତ୍ପାଦନ କ୍ଷମତା ୨୫ ମିଲିୟନ ଟନକୁ ବୃଦ୍ଧି କରାଯିବ। ସେହିପରି ଓଡ଼ିଶାରେ ନାଫତା କ୍ରାକର ୟୁନିୟ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅଢ଼େଇ ହଜାର ଏକର ଜମିର ଆବଶ୍ୟକତା ହେବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମୟରେ ସୂଚନା ଦେଇଛନ୍ତି।

ପାରାଦୀପରେ ତୈଳ ବିଶୋଧନାଗାରର କ୍ଷମତା ବୃଦ୍ଧି ସହିତ ଏହା ସଂଲଗ୍ନ ପ୍ଲାଷ୍ଟିକ ଓ ପଲିମର ଶିଳ୍ପ ଓଡ଼ିଶାରେ କେମିତି ଦ୍ରୁତ ବିକାଶ ଲାଭ କରିବ ସେନେଇ ଇଣ୍ଡିଆନ ଅଏଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ।

Spread the love