ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଟୋକିଓରେ ପାରାଲିମ୍ପିକ୍ସ ବ୍ୟାଡ଼ମିଂଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଟୋକିଓରେ ପାରାଲିମ୍ପିକ୍ସରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲି । ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ଆମର ପାରା-ଅଲିମ୍ପିଆନଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି। ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ପାଇବାପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ। ବିଶ୍ୱ ଚାମ୍ପିୟନ ଏବଂ ଦେଶର ସର୍ବୋତମ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆମେ ସମସ୍ତେ ଗର୍ବିତ । ପାରାଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଯୋଗାଇବ ।

Spread the love