ପିସିସି ପ୍ରଭାରୀ ଓ ସଭାପତି ଚୟନ ଉପରେ ସୁରଙ୍କ ବିସ୍ଫୋରକ ବୟାନ, ମୁଖ୍ୟମନ୍ତ୍ରୀଙ୍କ ନାଁ ନେବା ପରେ ଜବାବ ରଖିଲା ବିଜେଡି

ଭୁବନେଶ୍ଵରେ  ୨୩।୦୪:  ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାକୁ ନେଇ ଦିଲ୍ଲୀ ଦରବାରରେ ଚାଲିଛି ମାନସ ମନ୍ଥନ। ତେବେ ଏହା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଦେଇଛନ୍ତି ବିସ୍ଫୋରକ ବୟାନ। ସୁର ସିଧାସଳଖ ନିଜ ଦଳ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିଛନ୍ତି। ତାଙ୍କର ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଉ ସୁରଙ୍କୁ ଜବାବ ଦେଇଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ।

ପୁଣି ଥରେ କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଲେ ସୁର। ପିସିସି ସଭାପତି ଓ ପ୍ରଭାରୀ ଚୟନକୁ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବଡ଼ ବୟାନ ଦେଇଛନ୍ତି। ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ନିଅନ୍ତି ନବୀନ  ପଟ୍ଟନାୟକ। ଏ ସବୁ କିଛି ପରିବର୍ତ୍ତନ ନବୀନଙ୍କ ଇଚ୍ଛାରେ ହୁଏ ବୋଲି କହିଛନ୍ତି ସୁର।

ସେପଟେ ସୁରଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ଏକ ଜାତୀୟ ଦଳ । ବିଜେଡି ଏକ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ସବୁବେଳେ ବିଜେଡି କଥା ଚିନ୍ତା କରନ୍ତି। ଆମେ କାହା ସହ ଲିଙ୍କରେ ନାହୁଁ ବୋଲି ଦେବାଶିଷ କହିଛନ୍ତି। ତେବେ ସୁରଙ୍କ ଏହି ବୟାନ ରାଜନୀତିକୁ ଖୋରାକ ଯୋଗାଇଛି।

Spread the love