ପୁଣି ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ
ଢେଙ୍କାନାଳ : ପୁଣି ସ୍କୁଲରେ ଜଣ୍ଡିସ ଆତଙ୍କ । ଢେଙ୍କାନାଳ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗଦିଆ ବ୍ଲକ ବିଶ୍ଵନାଥପୁର ଆଦର୍ଶ ବିଦ୍ୟାଳୟରେ ୧୦ରୁ ଅଧିକ ଛାତ୍ର ଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲ ପାଖରେ ଥିବା ଏକ ଘରୋଇ ହଷ୍ଟେଲରୁ ଚାରିଜଣ ଛାତ୍ରଛାତ୍ରୀ ଓ ହଷ୍ଟେଲ ପରିଚାଳକ ମଧ୍ୟ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ନିୟମିତ ସ୍କୁଲକୁ ଆସୁଥିବା ଗଦିଆ ବ୍ଲକର ଅନ୍ୟ କିଛି ଛାତ୍ର ଛାତ୍ରୀ ମଧ୍ୟ ଜଣ୍ଡିସର ଶିକାର ହୋଇଛନ୍ତି। ଖବର ପାଇ ବରପଦାର ମେଡିକାଲର ଏକ ସ୍ବାସ୍ଥ୍ୟ ଟିମ୍ ଓ ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ତନାଘନା କରିଛନ୍ତି। ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ପିଇବା ପାଣିର ବ୍ୟବସ୍ଥା ନଥିବା ଜଣ୍ଡିସ ବ୍ୟାପିବାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ଵଛତା କ୍ଷେତ୍ରରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ବିଭାଗ। ପୂର୍ବରୁ ଖୋର୍ଦ୍ଧାର ଜବାହାର ନବୋଦୟ ବିଦ୍ୟାଳୟରେ ଜଷ୍ଟିସରେ ଶହେରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।
