ପୁଣି ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ସମ୍ବଲପୁର । ଘରେ ପାଣି, ବାହାରେ  ଲହଡ଼ି ମାଡ଼ୁଛି ଆଣ୍ଠୁଏ ଉଚ୍ଚର ପାଣି । ଆସବାବପତ୍ର ସବୁ ପାଣିରେ ଭାସୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ସେପଟେ ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଇଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍ ଖୋଲାଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୯୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୨୪ କ୍ୟୁସେକ ଜଳ ।  ନିଷ୍କାସିତ ହେଉଛି ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ।

ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ସେପଟେ, ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆ‌ନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Spread the love