ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ‘ମିଶନ ଶକ୍ତି’ ପକ୍ଷରୁ ଜଳଖିଆ କେନ୍ଦ୍ର ଉଦଘାଟିତ

ପୁରୀ ୨୫/୧୧: ମିଶନ ଶକ୍ତି ପକ୍ଷରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଟିଫିନ୍ ସେଣ୍ଟର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ମିଶନ ଶକ୍ତି ଡିପିସି ଦେବସ୍ମିତା ମହାପାତ୍ର ଓ ସିଡିପିଓ ଚନ୍ଦ୍ରପ୍ରଭା ଦେଇ  ଇତ୍ୟାଦି ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ସଦର ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଏହି ଟିଫିନ୍ ସେଣ୍ଟର ଖୋଲା ଯାଇଛି।

ଏହାଦ୍ୱାରା ସଂଘର ୬୦ ଜଣ ସଦସ୍ୟ ରୋଜଗାର କ୍ଷମ ହେବେ ବୋଲି ଆଶା ରହିଛି। ଏହି ଟିଫିନ୍ ସେଣ୍ଟରରେ ଇଡଲି, ଉପମା, ମଟର ତରକାରୀ, ପୁରୀ, ମିକ୍ସ ଭେଜ, ବିରି ବରା, ଚପ, ସିଙ୍ଗଡା, ପାଣି ଓ କ୍ଷୀର ଗରମ କରିବା ସହ ବିସ୍କୁଟ ଏବଂ ଶୁଖିଲା ଖାଦ୍ୟ ମିଳୁଛି। ସକାଳ ୮ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ଟିଫିନ୍ ସେଣ୍ଟର ଖୋଲା ରହିବ। ପୁରୀ ସଦର ଡାକ୍ତରଖାନାରେ ଖୋଲିଥିବା ମିଶନ ଶକ୍ତି ଟିଫିନ୍ ସେଣ୍ଟର ମଧ୍ୟ ସଦର ବ୍ଲକର ମିଶନ ଶକ୍ତି ମହିଳା ମହାସଂଘର ଆର୍ଥିକ ଉନ୍ନତି କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିବ ବୋଲି ମହିଳା ମାନେ ଆଶା ରଖିଛନ୍ତି।

ଜିଲ୍ଲାରୁ ପ୍ରତିଦିନ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ହଜାର ହଜାର ରୋଗୀଙ୍କ ସହ ତାଙ୍କ ସମ୍ପର୍କୀୟ ମାନେ ମଧ୍ୟ ଆସିଥାନ୍ତି। ମେଡ଼ିକାଲ ଭିତରେ ଏକ ଭଲ ଟିଫିନ୍ ସେଣ୍ଟର ନଥିବାରୁ  ଉତ୍ତମ ଖାଦ୍ୟ ପାଇଁ ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟମାନଙ୍କୁ  ଅସୁବିଧା ହେଉଥିଲା। ବାହାରେ ଥିବା ବିଭିନ୍ନ ଜଳଖିଆ ଦୋକାନରେ ରୋଗୀଙ୍କ ସମ୍ପର୍କୀୟମାନେ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ।

ସେହିପରି ପାଣି, କ୍ଷୀର ଗରମ କରିବା ପାଇଁ ମଧ୍ୟ ବିଭିନ୍ନ ଅସୁବିଧାର ସାମ୍ନ କରୁଥିଲେ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପୁରୀ ସଦର ବ୍ଲକର ମିଶନ ଶକ୍ତି ମହିଳା ମହାସଂଘ ଆଗେଇ ଆସିଛି। ସ୍ବାସ୍ଥ୍ୟକର‌ ପରିବେଶ  ଓ ଅଳ୍ପ ମୂଲ୍ୟରେ ରୋଗୀଙ୍କୁ ସମ୍ପର୍କୀୟଙ୍କୁ ଭଲ ଟିଫିନ୍ ଦେବା ପାଇଁ ଏଭଳି ଉଦ୍ୟମ କରାଯାଇଛି ବୋଲି ସଦର ବ୍ଲକ ଅଧ୍ୟକ୍ଷ କହିଛନ୍ତି।

Spread the love