ପୁଲଓ୍ବାମାରେ ଆତଙ୍କୀ ହମ୍‌ଲା, ପୋଷ୍ଟ ଅଫିସ୍‌ ଉପରେ ଗ୍ରେନେଡ୍‌ ମାଡକଲେ ଆତଙ୍କବାଦୀ

ଶ୍ରୀନଗର ୨୬/୧୨ : ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ପୁଣି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୁଲଓ୍ବାମାର ଏକ ପୋଷ୍ଟ ଅଫିସ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ କରିଛନ୍ତି । ଏହି ଆକ୍ରମଣରେ ପୋଷ୍ଟ ଅଫିସ୍‌ରେ ଡ୍ୟୁଟିରେ ଥିବା ୨ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଆକ୍ରମଣ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଗତ କିଛି ମାସହେଲା ଘାଟି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଲଗାତାର ଭାବେ ବୃଦ୍ଧିପାଇବାରେ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବାହାର ରାଜ୍ୟର ଶ୍ରମିକ ଯାଏଁ ଅନେକ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି । କିନ୍ତୁ ଲଗାତାର ଭାବେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ନୂଆ ଅପରେସନ ଆରମ୍ଭ ହୋଇଛି । ଏହି ଅପରେସନ ଜରିଆରେ ଓଭର ଗ୍ରାଉଣ୍ଡ ଓ୍ବାର୍କ୍ସ ବା ଆତଙ୍କବାଦୀଙ୍କୁ ଗୁପ୍ତ ତଥ୍ୟ ଦେଉଥିବା ବ୍ୟକ୍ତିମାନଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି ।

ଅନ୍ୟପଟେ ଶୋପିଆନ୍‌ର ଚୌଗାମ୍‌ ଅଞ୍ଚଳରେ ଶନିବାର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଲସ୍କର-ଏ-ତୋଏବାର ୨ ଜଣ ଆତଙ୍କୀ ନିହତ ହୋଇଥିଲେ । ନିହତ ହୋଇଥିବା ୨ ଆତଙ୍କବାଦୀ ହେଉଛନ୍ତି ବ୍ରାରୀପୋରାର ସଜ୍ଜାଦ ଅହମ୍ମଦ ଏବଂ ପୁଲଓ୍ବାମାର ବାସିତ୍‌ ନଜୀର ।

Spread the love