ପୂଜାରୀଙ୍କ ଭକ୍ତି ଓ ବିଶ୍ୱାସ : ଭାଙ୍ଗିଗଲା ଠାକୁରଙ୍କ ମୂର୍ତ୍ତିର ହାତ, ଡାକ୍ତରଖାନା ନେଲେ ପୂଜକ

ଜଣେ ପୂଜାରୀ ଏବେ ଚର୍ଚ୍ଚାରେ। ଭଗବାନଙ୍କ ପ୍ରତି ତାଙ୍କର ଅନନ୍ୟ ଭକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ତାଙ୍କ ଭକ୍ତିର ଏକ ଉଦାହରଣ ଦେଖିବାକୁ ମିଳିଛି। ପୂଜାରୀ ସକାଳେ ଲଡୁ ଗୋପାଳଙ୍କୁ ଗାଧୋଇ ଦେବାବେଳେ ଭଗବାନଙ୍କ ମୂର୍ତ୍ତି ପଡ଼ିଯାଇ ତାଙ୍କ ହାତ ଭାଙ୍ଗିଗଲା। ଏଥିରେ ପୂଜାରୀ ଏତେ ଦୁଃଖିତ ହୋଇଗଲେ ଯେ ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ନିଜେ ପ୍ଲାଷ୍ଟର ଲଗାଇବାକୁ ଚେଷ୍ଟା କଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ। ତା’ପରେ ଲଡୁ ଗୋପାଳଙ୍କୁ କୋଳରେ ଧରି ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କର ଜିଦ୍‌ ଦେଖି CMS ନିଜେ ଲଡୁ ଗୋପାଳଙ୍କ ହାତରେ ପ୍ଲାଷ୍ଟର କରି ପୁରୋହିତଙ୍କୁ ଦେଲେ। ଏହା ପରେ ପୁରୋହିତ ଲଡୁ ଗୋପାଳଙ୍କୁ ଘରକୁ ନେଇଗଲେ।

ସୂଚନା ଅନୁଯାୟୀ, ପୂଜାରୀ ଲେଖ ସିଂ ପ୍ରାୟ ୨୫-୩୦ ବର୍ଷ ପୂର୍ବେ ଶାହଗଞ୍ଜର ଖାସପୁରା ଅଞ୍ଚଳର ପଥୱାରୀ ମନ୍ଦିରରେ ଲଡୁ ଗୋପାଳଙ୍କୁ ବିରାଜମାନ କରିଥିଲେ। ପୂଜାରୀ ତାଙ୍କର ନିଜ ସନ୍ତାନ ପରି ଯତ୍ନ ନେଉଥିଲେ। ସେ କହିଛନ୍ତି ଯେ ସକାଳ ୫ ଟାରେ ଗାଧୋଇବାବେଳେ ଲଡୁ ଗୋପାଳ ତଳେ ପଡ଼ିଯାଇ ତାଙ୍କ ହାତ ଭାଙ୍ଗିଯାଇଥିଲା। ସେ ନିଜେ ଏକ କପଡା ବାନ୍ଧି ମଲମ ଲଗାଇଥିଲେ ଏବଂ ଭଗବାନଙ୍କୁ ନିଜ କୋଳରେ ରଖି 8 ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହା ପରେ, ୮ ଟାରେ ଓପିଡି ଖୋଲିବା ମାତ୍ରେ ସେ ଲଡୁ ଗୋପାଳଙ୍କୁ ନେଇ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।

 

ପ୍ରଥମେ ଡାକ୍ତରମାନେ ଲଡୁ ଗୋପାଳଙ୍କୁ ପ୍ଲାଷ୍ଟର ଦେବାକୁ ମନା କରିଥିଲେ, ଏହାଶୁଣି ପୂଜାରୀ ଲେଖ ସିଂ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ସେଠାରେ ହିନ୍ଦୁ ସଂଗଠନର କିଛି ଅଧିକାରୀ ପହଞ୍ଚିଥିଲେ। ସେ ଆଗ୍ରା ନିବାସୀ ଶ୍ରୀକୃଷ୍ଣଙ୍କ ନାମରେ କାଗଜପତ୍ର ତିଆରି କଲେ। ଏହା ପରେ ସିଏମ୍ଏସ୍ ଅଶୋକ କୁମାର ତାଙ୍କ କ୍ୟାବିନକୁ ଏକ ଅପରେସନ୍ ଥିଏଟର କରି ଲଡୁ ଗୋପାଳଙ୍କୁ ପୂଜାରୀଙ୍କ ଆଗରେ ପ୍ଲାଷ୍ଟର କରି ତାଙ୍କୁ ଦେଇଥିଲେ। ସିଏମ୍ଏସ୍ ଡକ୍ଟର ଏ.କେ ଅଗ୍ରୱାଲ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଭଳି ମାମଲା ତାଙ୍କ ପାଖକୁ ଆସିଛି। ଭଗବାନଙ୍କ ପ୍ରତି ଏଭଳି ଭଲପାଇବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Spread the love