ପ୍ରଥମେ ବିଶ୍ବକପ୍ ପରେ ଚାମ୍ପିଅନ୍ସ ଟ୍ରଫି ଓ ଆଉ ଏବେ ଟି୨୦ ବିଶ୍ବକପ୍, ଏବେ ଠୁ ଡରିଗଲାଣି ପାକିସ୍ତାନ
ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଆସେ ସେତେବେଳେ ଆରମ୍ଭ ହୋଇ ଯାଏ ଭାରତ-ପାକିସ୍ତାନକୁ ନେଇ ଚର୍ଚ୍ଚା । ରାଜନୈତିକ ଯୁଦ୍ଧ ଭିତରେ କ୍ରିକେଟ୍ ଧସେଇ ପଶେ। ଖେଳ ହେବ ନା ନାହିଁ । ଯଦି ଖେଳ ହେବ କିଏ ଜିତିବ ଏମିତି ଅନେକ ଆଲୋଚନା । ପ୍ରଥମେ ବିଶ୍ବକପ୍ ପରେ ଚାମ୍ପିଅନ୍ସ ଟ୍ରଫି ଓ ଆଉ ଏବେ ଟି୨୦ ବିଶ୍ବକପ୍ । ଏସବୁଥିରେ ଭାରତ ଓ ପାକିସ୍ତାନ ଖେଳୁଛନ୍ତି । ହେଲେ ଉଭୟ ଦେଶ ମଧ୍ୟରେ ରହିଥିବା ରାଜନୈତିକ ସମ୍ପର୍କ ଯୋଗୁଁ ସେମାନେ ଦ୍ବିପାକ୍ଷିକ ସିରିଜ୍ ଖେଳୁ ନାହାନ୍ତି । ସେମାନଙ୍କ ମଧ୍ୟରେ ମ୍ୟାଚ୍ ସବୁ ନିରପେକ୍ଷ ସ୍ଥାନରେ ଖେଳା ଯାଉଛି । ତେବେ ବର୍ତ୍ତମାନ ଏଭଳି ପରିସ୍ଥିତି ଆସିଲାଣି କି ପାକିସ୍ତାନ ଦଳ ଭାରତ ସହିତ ମ୍ୟାଚ୍ ଖେଳିବାକୁ ମନା କଲାଣି । ନିରପେକ୍ଷ ସ୍ଥାନରେ ମଧ୍ୟ ଖେଳିବାକୁ ଅରାଜି । କାରଣ ବାଂଲାଦେଶକୁ କାହିଁକି ଟି୨୦ ବିଶ୍ବକପରୁ ବାହାର କରାଗଲା ତାକୁ ବିରୋଧ କରି ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ଟିମ୍ ଇଣ୍ଡିଆ ସହ ମ୍ୟାଚ ନଖେଳିବାକୁ ଘୋଷଣା କରିଛି ।
ସୂଚନା ଥାଉ କି ଭାରତ ଓ ପାକିସ୍ତାନ ଟି୨୦ ବିଶ୍ବକପର ଗୋଟିଏ ଗ୍ରୁପରେ ଅଛନ୍ତି । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ପିସିବିର କହିବା କଥା ଖେଳରେ ରାଜନୀତି ନହେଉ କିନ୍ତୁ ପାକିସ୍ତାନ ସରକାର ଯେଉଁଠି ମନା କଲେଣି ଆମେ ସେଠି ଭରତ ସହ ଖେଳିବୁ କେମିତି ?
ଅନ୍ୟପକ୍ଷରେ ବାଂଲାଦେଶ କଥା ଯଦି ଦେଖାଯିବ ତେବେ ତାର ଖେଳାଳିମାନେ ଭାରତ ଆସି ଖେଳିବାକୁ ରାଜି ଅଛନ୍ତି କିନ୍ତୁ ତାଙ୍କ ସରକାର କହୁଛି ଭାରତ ତାଙ୍କ ଖେଳାଳିଙ୍କ ପାଇଁ ସୁରକ୍ଷିତ ନୁହେଁ । ଏହି ଆଳ ଦେଖାଇ ବାଂଲାଦେଶ ଦଳ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି । ତେଣୁ ଏକଥା ସ୍ପଷ୍ଟ ଯେ ଏଠି ଖେଳ କଥା ଯେତିକି ନୁହେଁ ରାଜନୀତି କଥାଟି ଅଧିକ ଆସି ଯାଉଛି । ଯାହାଫଳରେ ବାଂଲାଦେଶ ଟୁଣ୍ଣାମେଣ୍ଟରୁ ଓହରି ଗଲା । ଯଦିଓ ଏହାର ଜଣେ ଖେଳାଳିଙ୍କୁ ଆଇପିଏଲରୁ ବିଦା କରାଯିବାପରେ ହିଁ ଭାରତ-ବାଂଲାଦେଶ ମଧ୍ୟରେ ବିବାଦ ଉପୁଜିଥିଲା । ଏକଥା ବି ସତ ଯେ ରାଜନୈତିକ ସ୍ତରରେ ଏବେ ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇ ସରିଛି ।
ଅଲାଜୁକ ବାଂଲାଦେଶ ଯିଏ ପାକିସ୍ତାନ ହାତରେ ଦିନେ ନିର୍ଯାତିତ ହେଉଥିଲା ଏବଂ ଭାରତ ତାକୁ ସ୍ବାଧୀନ କରି ନୂଆ କରି ଜନ୍ମ ଦେଇଥିଲା ସେ ଏବେ ଭାରତ ବିରୋଧରେ । ଏମିତିକି ବିଶ୍ବ କ୍ରିକେଟରେ ପାଦ ଥାପିବାରେ ବାଂଲାଦେଶକୁ ସାହାଯ୍ୟ କରିଥିଲା ବିସିସିଆଇ । ତା ହାତ ଧରି ଚଲାଇ ଟେଷ୍ଟ ଜଗତକୁ ଆଣିବାରେ ପ୍ରମୁଖ ଭୂମିକା ନେଇଥିଲା । ହେଲେ ଏବେ ବିଶ୍ବାସଘାତୀ ଭଳି କାର୍ଯ୍ୟ କରୁଛି ବାଂଲାଦେଶ । ଅନ୍ୟପକ୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ସବୁ ବେଳେ ଭାରତ ହାତରୁ ମାତ୍ ଖାଉଥିବା ପାକିସ୍ତାନ କିନ୍ତୁ ତାର ବେହିଆପଣ ଛାଡୁନି । ଟି୨୦ ବିଶ୍ବକପରେ ଅଯଥାରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ତେବେ ପାକିସ୍ତାନ ବୁଝି ପାରୁନି ଯେ ଦୀର୍ଘକାଳୀନ ଭିତ୍ତିରେ ସେ ନିଜର ଓ ବନ୍ଧୁତାର ନାଟକ କରୁଥିବା ବାଂଲାଦେଶର ମଧ୍ୟ ବଡ଼ କ୍ଷତି ଘଟାଉଛି ।
ଯଦି ପାକିସ୍ତାନ ଗ୍ରୁପ୍ ମ୍ୟାଚରେ ଭାରତ ସହ ନଖେଳେ ତେବେ ଚଳିବ ହେଲେ ପରବର୍ତ୍ତୀ ସମୟରେ ଯଦି ବଡ଼ ମ୍ୟାଚ୍ କିମ୍ବା ଫାଇନାଲରେ ସାମନା ସାମନି ତେବେ କଣ କରିବ ପାକିସ୍ତାନ ? ଏହାର ଉତ୍ତରରେ ପାକ୍ ଟିମ୍ ଅଧିନାୟକ ସଲମାନ ଅଲୀ କହିଛନ୍ତି, ସେତେବେଳେ ଆମେ ସରକାରଙ୍କ ପରାମର୍ଶରେ ହିଁ ଆଗକୁ ବଢ଼ିବୁ ।
