ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ ବର୍ଷ ପୂର୍ତି ପରେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇଛି । ଏହି ସଂପ୍ରସାରଣରେ ଓଡିଶାର ୨ ଜଣ ସାଂସଦ ଶ୍ରୀ ବିଶେଶ୍ୱର ଟୁଡୁ ଏବଂ ଶ୍ରୀ ଅଶି୍ୱନୀ ବୈଷ୍ନବଙ୍କୁ ନୂତନ ଭାବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ରାଜ୍ୟସଭା ସାଂସଦ ଶ୍ରୀ ବୈଷ୍ନବଙ୍କୁ ରେଳ ମନ୍ତ୍ରାଳୟ ସମେତ ସୁଚନା ଓ ପ୍ରଯୁକ୍ତି ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟୀତ୍ୱ ଦିଆଯାଇଥିବାବେଳେ ସାଂସଦ ଶ୍ରୀ ଟୁଡୁଙ୍କୁ ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମିଶନ ରାଷ୍ଟ୍ରମନ୍ତ୍ରୀ ଦାୟୀତ୍ୱ ପ୍ରଦାନ କରାଯାଇଛି । ଏଥି ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀ ଭଳି ସମ୍ମାନଜନକ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଥି ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ନବ ଏବଂ ବିଶେଶ୍ୱର ଟୁଡୁଙ୍କୁ ସେମାନଙ୍କ ନୂତନ ଦାୟୀତ୍ୱ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ମୋଦି ସରକାରରେ ଓଡିଶା ସର୍ବଦା ଫୋକସରେ ରହିଛି । ଓଡିଶାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବଦ୍ଧପରିକର । ୨୦୧୪ ମସିହାରେ କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବାଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ‘ଓଡିଶା ଏବଂ ଓଡିଆ’ଙ୍କୁ ସବୁବେଳେ ପ୍ରାଥମିକତା ଦେଇ ଆସୁଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାର ପ୍ରତିନିଧିତ୍ୱ ବୃଦ୍ଧି ପାଇଥିବା କାରଣରୁ ଓଡିଶାର ବିକାଶ କାର୍ଯ୍ୟରେ ଏହା ନିଶ୍ଚିତ ସହାୟକ ହେବ । ବିଶେଷ ଭାବେ ରାଜ୍ୟରେ ରେଳ, ସୁଚନା ଓ ପ୍ରଯୁକ୍ତି, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗୀ, ଜଳଶକ୍ତି ବିଭାଗ କ୍ଷେତ୍ରରେ ବହୁ ବିକାଶ ହୋଇପାରିବ । ଓଡିଶାର ବିକାଶ ପାଇଁ ମୋଦି ସରକାର ସମସ୍ତ ପ୍ରକାରର ସହାୟତା ଓ ସହଯୋଗର ହାତ ବଢାଉଥିବାବେଳେ ରାଜ୍ୟରେ ଏହାର ବାଧକ ନସାଜି ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ଶାସକ
ବିଜେଡି ସରକାର ତତ୍ପରତା ପ୍ରକାଶ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

Spread the love