ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅର୍ଥ ରାଜ୍ୟରେ ରେଳ ଭିତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ସହ ଯାତ୍ରୀଙ୍କ ସୁବିଧା ବଢାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ୨୪୧ କିମି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୯୫୭ କୋଟି ଅନୁଦାନ କେବଳ ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ । ଶ୍ରୀପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ପାଇଁ ୫୨୦ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ତଥା ପୂର୍ବ ଭାରତର ବିକାଶକୁ ଅଧିକ ଧ୍ୟାନ ଦେଉଛନ୍ତି I ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର
ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି ।

Spread the love