ପ୍ରଶାସନିକ ଅବହେଳାର ହୃଦୟ ବିଦାରକ ଦୃଶ୍ୟ

ନବରଙ୍ଗପୁର: ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି। ଦେହକୁ ଖଣ୍ଡେ କନା ତ ଦୂରର କଥା ପେଟକୁ ମୁଠାଏ ଦାନା କି ରହିବା ପାଇଁ ଖଣ୍ଡେ ଘର ମଧ୍ୟ ମିଳୁନି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଖଣ୍ଡା ପଞ୍ଚାୟତର ଦେଓପୁର ଗ୍ରାମରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ୮୦ ବର୍ଷର ବୃଦ୍ଧ ଦୋସା ଜାନି ପରିବାର ପ୍ରତିପୋଷଣ ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରୁଛନ୍ତି। ଘରେ ୨ ନାତୁଣୀ ଓ ବୃଦ୍ଧା ସ୍ତ୍ରୀ। ଦୋସାଙ୍କ ପୁଅ ଓ ନାତି ଏକ ହତ୍ୟା ମାମଲାରେ ଜେଲରେ ସଜା କାଟୁଛନ୍ତି। ଭତ୍ତା ଖଣ୍ଡିକରେ ପେଟ ପୁରୁନି ତ ପିନ୍ଧିବା ପାଇଁ କପଡ଼ା କେଉଁଠୁବା ମିଳିବ। ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ସଂଖ୍ୟାଲଘୁ ନେତା କାଜମ ମଦାନୀ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ ଦୋସାଙ୍କ ଗ୍ରାମ ଦେଇ ଯାଉଥିଲେ। ସେହି ସମୟରେ ହଠାତ ଅଟକି ଯାଇ କିଛି ଆର୍ôଥକ ସାହାଯ୍ୟ ଦେବା ସହ ଶୁକ୍ରବାର ତାଙ୍କ ଏନଜିଓ ତରଫରୁ ମାସିକିଆ ରାସନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସିତ ତାଙ୍କ ନାତୁଣୀଙ୍କୁ ବିଦ୍ୟାଳୟରେ ପଢ଼ାଇବାର ଭରଷା ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି। ଶ୍ରୀ ମଦାନୀଙ୍କ ସହ ସରକାରୀ ଆଇନଜୀବୀ ସୁଧାଂଶୁ ସାଧୁ ମଧ୍ୟ ଉପସ୍ଥିତ ଥିଲେ।

Spread the love