ବଣାଇରେ ସିରିଜ ଚୋରି, ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଭୟ ଓ ଅସନ୍ତୋଷ

ବଣାଇ: ତିନି ଦିନରେ ଚାରି ଚାରିଟି ଚୋରି । ରାତି ହେଲେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରାମାନେ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଭୟ ଓ ଅସନ୍ତୋଷ । ସବୁବେଳେ ସିରିଜ ଚୋରି ଘଟଣାକୁ ନେଇ ଜନସାଧାରଣ ପୋଲିସ ତଦନ୍ତ ପ୍ରତି ପ୍ରଶ୍ନ ଉଠାଇଛନ୍ତି । ଦିନକୁ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରମାନଙ୍କ ଉତ୍ପାତ ବଢ଼ିବାରେ ଲାଗିଲାଣି ।

ପୋଲିସ ଆଖିରେ ଧୂଳି ଦେଇ ଘରେ ପଶି ଲୁଟ କରୁଛନ୍ତି ଦୁର୍ବୃତ୍ତ । ଗତ ୨୭ ତାରିଖ ରାତିରେ ବଣାଇ ସହରରେ ଏକ ଇଲେକ୍ଟ୍ରିକାଲ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ମୁନରେ ପ୍ରାୟ ୨୫ ଲକ୍ଷ ଟଙ୍କା ଓ ୨୦୦ ଗ୍ରାମ ସୁନା ଗହଣା ଲୁଟ କରିଥିଲେ ଡ଼କାୟତ । ସେହିଦିନ ରାତିରେ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ଛତିଆଢ଼ିପା ଗାଁର ନିକୁଞ୍ଜ ବେହେରାଙ୍କ ଘରୁ ମଧ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ଓ ୫୦ ଗ୍ରାମ ସୁନା ଗହଣା ଚୋରି ହୋଇଥିଲା । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମା ଝିଅଙ୍କୁ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି ।

ବଣାଇ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଥିଲା ଏଭଳି ଡକାୟତି । ସେହିଭଳି ଗୋଟିଏ ଗ୍ୟାରେଜ ଦୋକାନରୁ ଗାଡି ମରାମତି ସାମଗ୍ରୀ ଚୋରି ହୋଇଥିଲା । ଏହାରି ଭିତରେ ଆଜି ବଣାଇ ସହର ମୁଖ୍ୟ ରାସ୍ତା ପାଖରେ ଥିବା ଚନ୍ଦନ ସାହୁଙ୍କ ଚା’ ଦୋକାନ ଭାଙ୍ଗି ଚୋରମାନେ ଟିଭି, ସାଉଣ୍ଡ ବକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଥିଲେ । ସେମାନେ ଫ୍ରିଜ ଓ ଗ୍ୟାସ ପାଇପ ମଧ୍ୟ ଖୋଲି ଦେଇଥିଲେ । ଯାହା ଜନମନରେ ଭୟ ସୃଷ୍ଟି କରିଛି ।

ଏପଟେ ଆଜିକାଲି ଏଭଳି ସିରିଜ ଲୁଟ କରି ଚୋରମାନେ ପୋଲିସକୁ ଖୁଲମଖୁଲା ଆହ୍ୱାନ ଦେଇ ଚାଲିଛନ୍ତି । ପୋଲିସ ତଦନ୍ତ ନାମରେ ମାତ୍ର ଦେଖଣିଆ କାର୍ଯ୍ୟ ହେଉଥିବା ଅଭିଯୋଗ ଉଠିଛି । ପୋଲିସର କାର୍ଯ୍ୟକଳାପ ଜନସାଧାରଣଙ୍କ ମନରେ ଅସନ୍ତୋଷ ଓ ଅସୁରକ୍ଷାର ଭାବ ଜଗାଇଦେଇଛି । ଦିନକୁ ଦିନ ବଢ଼ୁଥିବା ଚୋରି ଘଟଣା ବଣାଇ ପୋଲିସର ଅକ୍ଷମତାକୁ ପ୍ରକାଶ କରୁଛି । ତେବେ ଯଥାଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love