ବର୍ଷା ହେଉ ନଥିବାରୁ ନାବାଳିକାଙ୍କୁ ଉଲଗ୍ନ କରି ବୁଲାଇଲେ

ଭଲ ବର୍ଷା ହେବା ବିଶ୍ୱାସରେ ଗାଁ ଲୋକମାନେ ଜଣେ ନାବାଳିକାକୁ ଉଲଗ୍ନ କରାଇ ଗାଁ ଦାଣ୍ଡରେ ବୁଲାଇ ଭିକ ମଗାଇଛନ୍ତି। ଉଲଗ୍ନ ଅବସ୍ଥାରେ ବିଭିନ୍ନ ନୀତିକାନ୍ତି କରାଯିବା ସହ ନାବାଳିକାକୁ ଘର ଘର ବୁଲି ଭିକ ମାଗିବାକୁ ବାଧ୍ୟ କରାଯାଇଛି। ମଧ୍ୟପ୍ରଦେଶ ର ଦାମୋହ ଜିଲ୍ଲାର ଜାବେରା ବ୍ଲକ ଅନ୍ତର୍ଗତ ବାନିଆ ଗାଁରେ ଏପରି ଘଟଣା ଘଟିଛି। ନାବାଳିକା ଜଣଙ୍କ ଉଲଗ୍ନ ଅବସ୍ଥାରେ ଘର ଘର ବୁଲି ଭିକ ମାଗୁଥିଲେ। ଏହି ସମୟରେ ଗାଁ ଲୋକଙ୍କ ସହିତ ନାବାଳିକାଙ୍କ ବାପାମା’ ଓ ପରିବାର ଲୋକ ମଧ୍ୟ ସେଠାରେ ଉପସ୍ଥିତ ରହି ନାବାଳିକାର ପଛେପଛେ ଭଜନ ଗାନ କରି ଗାଁ ଦାଣ୍ଡ ପରିକ୍ରମା କରିଥିଲେ।

ନାବାଳିକା ଜଣଙ୍କ କାନ୍ଧରେ ହେମଧସ୍ତା ରଖି ଉଲଗ୍ନ ହୋଇ ଗାଁ ଦାଣ୍ଡକୁ ବାହାରିଥିଲେ। ଗାଁରେ ଥିବା ପ୍ରତିଟି ଘରକୁ ଯାଇ ନାବାଳିକା ଜଣଙ୍କ ଅଟା, ଡାଲି ଓ ବିଭିନ୍ନ ପ୍ରକାରର ଶସ୍ୟ ମାଗଣ କରିଥିଲେ। ଏଥିରୁ ମିଳିଥିବା ଦାନ ସାମଗ୍ରୀକୁ ଗାଁ କମ୍ୟୁନିଟି କିଚେନକୁ ଦିଆଯିବାର ନିୟମ ରହିଛି। ଗାଁ ମନ୍ଦିର ସମ୍ମୁଖରେ ଥିବା ଏହି କମ୍ୟୁନିଟି କିଚେନଟି ରହିଛି।

ଏପରି କରିବା ଦ୍ୱାରା ଗାଁରେ ଭଲ ବର୍ଷ ହୋଇଥାଏ ଓ ମରୁଡ଼ିରୁ ରକ୍ଷା ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ପ୍ରତିବର୍ଷ ଗାଁର ଲୋକମାନେ ଏପରି କରନ୍ତି। ଉଲଗ୍ନ ହୋଇ ଭିକ ମାଗିବାକୁ ଥିବା ନାବାଳିକାଙ୍କ ଠାରୁ ପ୍ରଥମେ ଅନୁମତି ନିଆଯାଏ। ଏହାପରେ ପରମ୍ପରା ଅନୁଯାୟୀ ସବୁ କିଛି କରାଯାଏ। ଆଉ ପରିବାର ଲୋକ ହିଁ ନାବାଳିକାଙ୍କୁ ଉଲଗ୍ନ ଅବସ୍ଥାରେ ଭିକ ମାଗିବାକୁ ପ୍ରସ୍ତୁତ କରାଇ ଥାନ୍ତି। ଅନ୍ୟପଟେ ଏପରି ଘଟଣା ଘଟିବା ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Spread the love