ବସରୁ ୮ କେଜି ଗଞ୍ଜେଇ ଜବତ
ବୌଦ୍ଧ : ବସରେ ଆମ୍ବ ପେଟି କହି ଚାଲାଣ ହେଉଥିଲା ଗଞ୍ଜେଇ । ମାଡିବସିଲା ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ଚାରିଛକ ଅବକାରୀ ଥାନା ପକ୍ଷରୁ NBL ନାମକ ଯାତ୍ରୀବାହି ବସରେ ରେଡ଼ ହୋଇଛି । ୮ କେଜି ଗଞ୍ଜେଇ ଜବତ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଦୁଇଜଣ ହେଲେ ହେଲଫର ବାବୁଲି ମେଣ୍ଡୁଳି ଏବଂ କଣ୍ଡକ୍ଟର ଲକ୍ଷ୍ମୀଧର ଜଗଯେଠି । ସୂଚନା ମୁତାବକ ପ୍ରତିଦିନ ସକାଳେ ବୌଦ୍ଧ ଜିଲ୍ଲା କୁସଙ୍ଗରୁ ଭୁବନେଶ୍ୱର ଅଭିମୁଖେ NBL ନାମକ ଏକ ଯାତ୍ରୀବାହି ବସ ଯାଇଥାଏ । ଏହି ଯାତ୍ରୀବାହି ବସ ରେ ଆମ୍ବ ପେଟିରେ ଗଞ୍ଜେଇ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ଏକ ବିଶେଷସୂତ୍ରରୁ ବୌଦ୍ଧ ଅବକାରୀ SP ସୂଚନା ପାଇଥିଲେ ।
ସୂଚନାକୁ ଭିତ୍ତିକରି SP ବୌଦ୍ଧ ଅବକାରୀ IIC ଗଦାଧର ମହାରଣା ଓ ଶବଇନ୍ସପେକ୍ଟର ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବସକୁ ପିଛା କରିଥିଲେ । ବଦଲା ଛକ ନିକଟରେ ବସକୁ ଅଟକାଇ ଯାଞ୍ଚ ବେଳେ ବସରୁ ଏକ ପେଟିରୁ ୮କେଜି ଗଞ୍ଜେଇ ମିଳିଥିଲା । ଅନ୍ୟପଟେ ବସ ହେଲଫର ଓ କଣ୍ଡେକ୍ଟରଙ୍କୁ ଗଞ୍ଜେଇ ପେଟି ସମ୍ପର୍କରେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।
ଯାହାଫଳରେ ହେଲଫର ବାବୁଲି ମେଣ୍ଡୁଳି କଣ୍ଡକ୍ଟର ଲକ୍ଷ୍ମୀଧର ଜଗଯେଠିଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା । ତଦନ୍ତରେ ଦୁଇଜଣ ଆଗରୁ ମଧ୍ୟ ଗଞ୍ଜେଇ ବହୁବାର ଚାଲାଣ କରୁଥିବା ଅବକାରୀ ପୋଲିସ ଜାଣିବାକୁ ପାଇଥିଲା । ଯାହାଫଳରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଥାନା ଚାରିଛକ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଯାତ୍ରୀବାହି ବସରେ ବହୁ ଯାତ୍ରୀ ଥିବାରୁ ବସକୁ ଛାଡି ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।