ବାତ୍ୟା ପ୍ରଭାବରେ ଗଞ୍ଜାମରେ ରାତି ସାରା ବର୍ଷା, ୨୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର
ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ମୋନ୍ଥା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ପ୍ରାୟ ୧ ହଜାର ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ତଳିଆ ଅଞ୍ଚଳ ଓ ପାହାଡିଆ ଅଞ୍ଚଳରୁ ୨୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ୯୧୦ ଗର୍ଭବତୀଙ୍କୁ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ ଧାନ କ୍ଷେତ ଓ ପରିବା ବାଡ଼ ଉଜୁଡି ଯିବାର ଆଶଙ୍କା କରି କୃଷି ଅଧିକାରୀ ସତର୍କ ପଦକ୍ଷେପ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ବାତ୍ୟା ମୋନ୍ଥା ପାଇଁ ଜିଲ୍ଲାର ପାତ୍ରପୁର ଅଞ୍ଚଳର ପାହାଡିଆ ଗାଁକୁ ଫୋକସ କରିଛନ୍ତି ଜିଲ୍ଲା ପ୍ରଶାସନ । ବ୍ଲକର ଆଙ୍କୁଲି, ତୁମ୍ବା, ବୁରାତାଲ ପଂଚାୟତ ବହୁ ପାହାଡ଼ ଉପରେ ଲୋକ ବସବାସ କରନ୍ତି । ତେଣୁ ସେମାନଙ୍କୁ ଚିହ୍ନଟ କରି ପ୍ରଶାସନ ବାତ୍ୟା ଆଶ୍ରୟ ସ୍ଥଳୀ ରଖାଯାଇଛି । ଗତକାଲି ରାତିରେ ଜିଲ୍ଲାପାଳ ପହଞ୍ଚି ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାନ ଖେମୁଣ୍ଡି ବ୍ଲକର ୨ ପଂଚାୟତର ପାହାଡ଼ ଉପରେ ଥିବା ଗାଁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ବିଡିଓଙ୍କ ଉପସ୍ଥିତିରେ ରନ୍ଧା ଖାଦ୍ୟ ଦିଆଯାଇଥିଲା ।
