ବିଧାନସଭା ଅଧିବେସନରେ ବିରୋଧୀ ଦଳ ନେତାଙ୍କୁ ସାମ୍ନା କରିବାର ସାହାସ ବିଜେଡିର ନାହିଁ: ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର

ଭୁବନେଶ୍ୱର, ତା.୧୫/୦୨: ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ଓଡିଶା ପୋଲିସର ଦମନ, ଅତ୍ୟାଚାର ଏବଂ ଦୈାରାତ୍ମ୍ୟ ସମସ୍ତ ସୀମା ଉଲ୍ଲଂଘନ କରିସାରିଛି । ସମସ୍ତ ନୀତିନିୟମ ଓ ଆଇନକାନୁନକୁ ଜଳାଞ୍ଜଳୀ ଦେଇ ରାଜନୈତିକ ହିଂସାକରଣକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର । ନବ ଦାସଙ୍କ ହତ୍ୟାକାଣ୍ଡର ସଠିକ୍ ତଦନ୍ତ ଦାବୀ ଏବଂ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ବିଜେପି ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ଆଜି ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ସମୟରେ ବିରୋଧୀ ଦଳ ନେତାଙ୍କୁ ଯେଉଁ ଭଳି ଭାବେ ପୋଲିସ ଧକ୍କା ମାରିଲା, ଏଥିରୁ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଓ ଷଡଯନ୍ତ୍ରକାରୀଙ୍କ ମୁଖା ଖୋଲୁ ବୋଲି ରାଜ୍ୟ ସରକାର ଚାହୁଁ ନଥିବାର ସ୍ପଷ୍ଟ ହୋଇଛି ବୋଲି ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।
ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଲଗାଇ ଗୁଳି ମାରି ହତ୍ୟା କରାଗଲା । ଏବେ ବିରୋଧୀ ଦଳ ନେତାଙ୍କୁ ପୋଲିସ ଲଗାଇ ଧକ୍କା ମରାଗଲା । ଏହା କଣ ମୁଖ୍ୟମନ୍ତ୍ରୀଙ୍କ “ମୋ ପୋଲିସ”ର ଅସଲ ଚେହେରା କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ କାଠଗଡାରେ ପକାଇଥିଲେ । ଆଗକୁ ବିଧାନସଭା ଅଧିବେସନରେ ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ର ଏହି ପ୍ରସଙ୍ଗକୁ ଗୃହରେ ଉଠାଇବେ, ଯାହାକୁ ବିଜେଡି ସରକାର ସାମ୍ନା କରି ପାରିବେ ନାହିଁ । ଏହି କାରଣରୁ ଶ୍ରୀ ମିଶ୍ରଙ୍କ ବିରୋଧରେ ଏଭଳି ହୀନ ଚକ୍ରାନ୍ତ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଯେଉଁ ଦିନ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା, ସେଦିନ ବିଜୁ ଜନତା ଦଳ ହତ୍ୟାକାରୀ ଗୋପାଳ ଦାସ ବିରୋଧରେ କିମ୍ବା ଓଡିଶା ପୋଲିସର ସୁରକ୍ଷା ଅବହେଳା ବିଷୟରେ ପଦେ କହିନଥିଲେ । କିନ୍ତୁ ଆଜି ହଠାତ୍ ପୋଲିସ ସପକ୍ଷରେ ବିଜେଡି ଏତେ ପ୍ରତିକ୍ରିୟାଶୀଳ କାହିଁକି ? ସତରେ କଣ ବିଜୁ ଜନତା ଦଳ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟର ବିରୋଧୀ ଦଳ ନେତାଙ୍କ ପ୍ରତି ବିଶୃଙ୍ଖଳିତ ପୋଲିସର ଅଭଦ୍ର ଆଚରଣ ନେଇ ମୁଖ୍ୟମନ୍ତ୍ରୀ କଣ ନିଷ୍ପତି ନେଉଛନ୍ତି, ତାହା ଆମେ ଅପେକ୍ଷା କରିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love