ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ

ଭୁବନେଶ୍ବର: ପଛକୁ ହଟିଲେ ସରକାର । ବିନା ପଲ୍ୟୁସନ ସାର୍ଟିଫିକେଟରେ ମିଳିବ ତେଲ । ବାହାନ ପୋର୍ଟାଲରେ ହେବ ବଡ଼ ପରିବର୍ତ୍ତନ ।  ଓଡ଼ିଶା ସରକାର ଗାଡ଼ି ଚାଳକଙ୍କ ପାଇଁ ଜାରି କରିଥିବା ଏକ ବିବାଦୀୟ ନିୟମକୁ ପ୍ରତ୍ୟାହାର କରିନେଇଛନ୍ତି । ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଯେଉଁ ଗାଡ଼ିର ବୈଧ ପଲ୍ୟୁସନ ସାର୍ଟିଫିକେଟ୍ ନଥିବ, ସେମାନଙ୍କୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ।  ଆଜି ହାଇକୋର୍ଟରେ ଶୁଣାଣି ସମୟରେ ସରକାର ଏହି ନିୟମକୁ ଉଠାଇ ନେଇଥିବା ସୂଚନା ଦେଇଛନ୍ତି ।

କୋର୍ଟରେ ସରକାରଙ୍କ ସ୍ପଷ୍ଟୀକରଣ, ପେଟ୍ରୋଲ ପମ୍ପଗୁଡ଼ିକୁ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶକୁ ସରକାର ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କୁ ଏକ ଶପଥପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି । ପରିବହନ କମିଶନରଙ୍କ ଯୁକ୍ତି ଥିଲା, କମିଶନର କହିଥିଲେ ଯେ ଯଦି କେହି ପୂର୍ବରୁ ଥିବା ଫାଇନ୍ ନଦିଅନ୍ତି, ତେବେ ତାଙ୍କୁ ନୂଆ PUC ସାର୍ଟିଫିକେଟ୍ ଦିଆଯିବ ନାହିଁ ।  ଏହାକୁ ନେଇ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ହାଇକୋର୍ଟ ଯୁକ୍ତିକୁ ଗ୍ରହଣ କଲେ ନାହିଁ ।

କୋର୍ଟ କହିଛନ୍ତି ଯେ ଜୋରିମାନା ଆଦାୟ ପାଇଁ କାହାର ପଲ୍ୟୁସନ ସାର୍ଟିଫିକେଟ୍ ରୋକାଯାଇପାରିବ ନାହିଁ। ଏହାସହ ଆଇନ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ‘ବାହାନ ପୋର୍ଟାଲ’ରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରିବହନ କମିଶନରଙ୍କୁ ଏକ ନୂଆ ଶପଥପତ୍ର ଦାଖଲ କରିବାକୁ କୁହାଯାଇଛି।

ଓଡ଼ିଶା ସରକାର କିଛି ଦିନ ପୂର୍ବରୁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଏକ କଡ଼ା ନିୟମ ଆଣିବାକୁ ଚେଷ୍ଟା କରିଥିଲେ। ସେଥିରେ କୁହାଯାଇଥିଲା ଯେ ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପ ମାଲିକମାନେ ଗାଡ଼ିକୁ ତେଲ ଦେବେ ନାହିଁ । ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର ହୋଇଥିଲା ।  ଲୋକଙ୍କ ଅଭିଯୋଗ ଥିଲା ଯେ ଏହାଦ୍ୱାରା ଜନସାଧାରଣ ହଇରାଣ ହେବେ । ଆଜିର ନିଷ୍ପତ୍ତି ପରେ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ମିଳିଛି ।

Spread the love