ବିବାହ ପରେ ସ୍ତ୍ରୀ ଶଙ୍ଖା-ସିନ୍ଦୁର ପିନ୍ଧୁ ନଥିବାରୁ ଛାଡପତ୍ରକୁ ଅନୁମତି ଦେଲେ ଗୌହାଟୀ ହାଇକୋର୍ଟ

ଜଣେ ମହିଳା ବିବାହ ପରେ ଜଣେ ବିବାହିତା ମହିଳାର ପ୍ରତୀକ ଭାବେ ଜଣା ଯାଉଥିବା ଶଙ୍ଖା ଏବଂ ସିନ୍ଦୁର ପିନ୍ଧୁନଥିବାରୁ ଗୌହାଟୀ ହାଇକୋର୍ଟ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି | ଛାଡପତ୍ର ମାମଲାର ଶୁଣାଣି କରି ଗୌହାଟୀ ହାଇକୋର୍ଟ କହିଛନ୍ତି ଯେ, ଯଦି ଜଣେ ହିନ୍ଦୁ ମହିଳା ପରମ୍ପରା ଅନୁଯାୟୀ ଶଙ୍ଖା ଏବଂ ସିନ୍ଦୁର ପିନ୍ଧିବାକୁ ପସନ୍ଦ କରୁନାହାନ୍ତି, ତେବେ ସେ ଏହି ବିବାହରେ ଖୁସି ନଥିବା ସ୍ପଷ୍ଟ ଭାବେ ଜଣା ପଡୁଛି | ଏଭଳି ପରିସ୍ଥିତିରେ ଦୁହେଁ ଅଲଗା ହୋଇଯିବ ଭଲ |

ସୂଚନା ମୁତାବକ, ଦୁହେଁ ଫେବୃଆରୀ ୧୭, ୨୦୧୨ରେ ବିବାହ କରିଥିଲେ | ବିବାହ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ସହ ମହିଳା ଜଣଙ୍କ ଶଙ୍ଖା ଏବଂ ସିନ୍ଦୁର ପିନ୍ଧିବା ବନ୍ଦ କରିଦେଇଥିଲେ | ଏଭଳି ବର୍ଷେ ବିତିବା ପରେ ଜୁନ ୩୦, ୨୦୧୩ରେ ଦୁହେଁ ଅଲଗା ରହିବା ଆରମ୍ଭ କରିଥିଲେ | ଏହା ପରେ ସେ ନିଜ ସ୍ୱାମୀ ଏବଂ ସ୍ୱାମୀଙ୍କ ପରିବାର ଉପରେ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ | କିନ୍ତୁ ପରେ ମହିଳାଜଣଙ୍କ ମିଛ କହୁଥିବା ଜଣା ପଡିଥିଲା | ଏଭଳି ଘଟଣା ପରେ ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ପାରିବାରିକ କୋର୍ଟରେ ଆବେଦନ କରିଥିଲେ | କିନ୍ତୁ ପାରିବାରିକ କୋର୍ଟ ଛାଡପତ୍ରକୁ ଅନୁମତି ନଦେବାରୁ ପୀଡିତ ସ୍ୱାମୀ ହାଇକୋର୍ଟରେ ପହଞ୍ଚିଥିଲେ । ପ୍ରଧାନ ବିଚାରପତି ଅଜୟ ଲାମ୍ବା ଏବଂ ଜଷ୍ଟିସ ସୋମିତ୍ର ସାଇକିଆଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ |‘ଶଙ୍ଖା ଏବଂ ସିନ୍ଦୁର’ ଲଗାଇବାକୁ ପତ୍ନୀ ମନା କରିବାଟା ଦୁଇଟି କାରଣ ସାମ୍ନାକୁ ଆଣିଛି | ଗୋଟେ ହେଲା ସେ ବିବାହିତ ବୋଲି ଅନ୍ୟକୁ ଜଣାଇବାକୁ ଚାହୁଁନାହାନ୍ତି ଏବଂ ଅନ୍ୟଟି ହେଉଛି ସେ ଏହି ବିବାହରେ ଖୁସି ନାହାନ୍ତି | ପତ୍ନୀଙ୍କ ଏପରି ମନୋଭାବ ସେ ଏହି ବିବାହରେ ଖୁସି ନଥିବା ସ୍ପଷ୍ଟ କରୁଛି। ଏମିତିକି ମହିଳାଜଣଙ୍କ ତାଙ୍କ ସ୍ୱାମୀଙ୍କୁ ତାଙ୍କ ବୁଢ଼ୀ ମା’ଙ୍କ ଦେଖାଶୁଣା କରିବାକୁ ମଧ୍ୟ ରୋକୁଥିବାର ପ୍ରମାଣ ଆମ ପାଖରେ ପହଞ୍ଚିଛି | ଏ ସବୁକୁ ଦୃଷ୍ଟିରେ ରଖି ଆମେ ଏହି ଛାଡପତ୍ର ଆବେଦନକୁ ମଞ୍ଜୁର କରୁଛୁ ଏବଂ ପାରିବାରିକ କୋର୍ଟର ଆଦେଶକୁ ମଧ୍ୟ ପ୍ରତ୍ୟାହାର କରୁଛୁ |

Spread the love