ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ, ୮ ଦିନ ଧରି ପୂଜା ପିଇବେ ବିଶ୍ୱବିନ୍ଧାଣୀ
ପାରାଦୀପ : ବିରାଜିବେ ଦେବଶିଳ୍ପୀ । ବିଶ୍ବକର୍ମା ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ୨୫ରୁ ୩୦ଟି ମଣ୍ଡପରେ ପୂଜା ପାଇବେ ପ୍ରଭୁ ବିଶ୍ବକର୍ମା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ। ପ୍ରତ୍ୟେକ ଅନୁଷ୍ଠାନ ଘଟ ସ୍ଥାପନ କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ କରିବେ । ଏଥର ବିଭିନ୍ନ ଥିମ୍ ରେ ମଣ୍ଡପ ସଜାଯାଇଛି। ରଙ୍ଗ ବେରଙ୍ଗର ଆଲୋକ ମାଳା ସାଂଗକୁ ଭଳିକି ଭଳି ସୁସଜ୍ଜିତ ସୁଉଚ୍ଚ ତୋରଣ ଓ ତୋରଣ ମଧ୍ୟରେ ବିରାଜମାନ କରିଛନ୍ତି ଦେବଶିଳ୍ପୀ । କେଉଁଠି ବିଭିନ୍ନ ରାଜ୍ୟର ମନ୍ଦିରର ଭ୍ରମ ସୃଷ୍ଟି କରୁଛି ତ କେଉଁଠି କାଚ ଓ ଚୁମୁକି ଓ ସୋଲ ସହିତ ସଢେଇରେ କାରିଗରମାନେ ମେଢ଼କୁ ଆକର୍ଷଣୀୟ କରିଥିବା ଦେଖିବାକୁ ମିଳିଛି।
ବିଭିନ୍ନ ପୂଜାମଣ୍ଡପ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦେବଶିଳ୍ପୀଙ୍କ ମୃଣ୍ମୟ ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ଅନେକ ପୂଜା ମଣ୍ଡପରେ ନିର୍ମାଣ ଦେବତା ବିଶ୍ୱକର୍ମାଙ୍କ ସହିତ ବିଭିନ୍ନ ଦେବାଦେବୀର ଚିତ୍ରକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଶିଳ୍ପୀ । ପହଲଗାମ ଘଟଣା ମଧ୍ୟ ସ୍ଥାନ ପାଇଛି । ଯାହା ଚଳିତବର୍ଷର ବିଶ୍ୱକର୍ମା ପୂଜାରେ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ୮ ଧରି ବିଭିନ୍ନ ପୂଜାମଣ୍ଡପରେ ଓଡିଶା ତଥା ଓଡିଶା ବାହାରର କଳାକାରମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଥିବା ନେଇ ପୂଜକମିଟିର ସଦସ୍ୟ ପ୍ରକାଶ କରିଛନ୍ତି।
ବିଶ୍ବକର୍ମା ପୂଜାରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା କରିବାକୁ ପୋଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ପାରାଦୀପ ପୌରାଧ୍ୟକ କହିଛନ୍ତି । ପାରାଦୀପର ଗଣପର୍ବ ବିଶ୍ୱକର୍ମା ପୂଜାର ଆଜି ଠାରୁ ଜନଗହଳି ଲାଗିବା ଆରମ୍ଭ ହୋଇଥିବା ବେଳେ ଯଦି ପାଗ ଅନୁକୂଳ ରୁହେ ତେବେ ଚଳିତ ବର୍ଷ ୮ ଦିନ ଧରି ବିଶ୍ୱକର୍ମା ପୂଜାକୁ ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବ ବୋଲି ସମସ୍ତ ପୂଜା କମିଟି ଆଶା ରଖିଛନ୍ତି ।
