ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ, ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ନୟାଗଡ : ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ୩୧ଜଣଙ୍କର ଶ୍ରମିକ କାର୍ଡ କରାଇଦେବା ପାଇଁ ଜଣେ ଶ୍ରମିକ ନେତାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ଅଫିସରେ ନେଉଥିଲେ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଟଙ୍କା ସହ ଚିତ୍ତରଞ୍ଜନଙ୍କୁ ଧରିଥିଲେ । ଚିତ୍ତରଞ୍ଜନ ଗତ ୩ବର୍ଷ ହେଲା ଏଠାରେ ରହିଥିବା ବେଳେ ତାଙ୍କ ନାଁରେ ବହୁ ଦୁର୍ନୀତି ଅଭିଯୋଗ ରହିଥିଲା ।
ଭିଜିଲାନ୍ସ ଟିମ୍ ଚିତ୍ତରଞ୍ଜନଙ୍କ ଖଣ୍ଡପଡା ରୋଡରେ ରହିଥିବା ଭଡା ଘରେ ଚଢାଉ କରି ଖାମ୍ ଭିତରେ ଥିବା ୩୭ହଜାର ୫ଶହ ଟଙ୍କା ଜବତ କରିଛି । ସେପଟେ ଲାଞ୍ଚ ନେଉଥିବା କଥାକୁ ଅସ୍ବିକାର କରିଛନ୍ତି ଚିତ୍ତରଞ୍ଜନ। ଜଣେ ବ୍ଯକ୍ତି ଜୋର ଜବରଦସ୍ତ ତାଙ୍କ ଟେବୁଲରେ ଟଙ୍କା ରଖିଦେଇଥିବା ସେ ସଫେଇ ଦେଇଛନ୍ତି । ଭୂବନେଶ୍ବର ଭିଜିଲାନ୍ସର ଡିଏସପି ବ୍ରଜକିଶୋର ସାହୁଙ୍କ ନେତୃତ୍ବରେ ୧୦ଜଣିଆ ଟିମ୍ ଏହି ଚଢାଉରେ ସାମିଲ୍ ହୋଇଥିଲେ ।
