ମାଘମେଳା ପୂର୍ବରୁ ବାବାଙ୍କୁ ଉଠାଇନେଲା ପୋଲିସ, ମଠ ଭିତରେ ନ ପୂରାଇବାକୁ ଜଗି ବସିଛନ୍ତି ଗ୍ରାମବାସୀ

ଜଗତସିଂହପୁର : ଆଜି ମାଘମେଳା ପୂର୍ବରୁ ଅଧା ରାସ୍ତାରୁ ବାବାଙ୍କୁ ଉଠାଇନେଲା ପୋଲିସ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶାଳଜଙ୍ଗା ଗ୍ରାମବାସୀ ମାନେ ବାବାଙ୍କୁ ମଠ ଭିତରେ ପୂରାଇ ନଦେବାକୁ ଜଗି ବସିଛନ୍ତି । ଶାଳଜଙ୍ଗା ମହିମା ଆଶ୍ରମ ସିଦ୍ଧ ପୁରୁଷ ବାବା ସ୍ଵର୍ଗତଃ କୁଳମଣି ଦାଶଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ବେଳେ ଏଠାରେ ଅଖଣ୍ଡ ଧ୍ୱନି ଜଳୁଚି । ବାବା କୁଳମଣିଙ୍କ ଦେହାନ୍ତ ପରେ ବାବା ଗଦାଧର ଦାସ ମଠର ମଠାଧୀଶ ଭାବେ ରହି ଆସୁଥିଲେ । ଗତ କିଛିଦିନ ତଳେ ମଠର ସମ୍ପତ୍ତି, ଟଙ୍କାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ ଜାଣିବା ପରେ ସେମାନେ ବାବା ଗଦାଧର ଦାସ ଓ ମଠର ଅନ୍ତେବାସୀ ରିନା ମାତାଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କୌଶଳ କ୍ରମେ ମଠରୁ ଖସି ଚାଲି ଯାଇଥିବା ଗାଁଲୋକ ଅଭିଯୋଗ କରିଥିଲେ । ସେବେଠାରୁ ପିଲା ବାବା ଓ ସମ୍ପୃକ୍ତ ଅନ୍ତେବାସୀ ରିନା ମାତା ମଠକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଁଲୋକଙ୍କ ପ୍ରବଳ ବିରୋଧ ଯୋଗୁ ସେମାନେ ମଠ ମାଡ଼ି ପାରୁ ନଥିଲେ । ଆଜି ଏହି ମଠର ବଡ ପର୍ବ ମାଘ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ବାବା ଗଦାଧର ଦାସ ରାତି ସମୟରେ ମଠ ଆଡକୁ ଯାଉଥିବା ବେଳେ ପୋଲିସ ଖବର ପାଇ ତାଙ୍କୁ ଅଧା ବାଟରୁ ଥାନାକୁ ଉଠାଇ ନେଇଛି ।

Spread the love