ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ରାଇକିଆ ସହର, ୩୦ ବର୍ଷରେ ପ୍ରଦାର୍ପଣ କରିଛି ପୂଜା
ରାଇକିଆ: ଧାଡ଼ି ବାନ୍ଧି ଯାଉଛନ୍ତି ମହିଳାମାନେ । ମା’ଙ୍କ ଲାଗି ଗର୍ଜନ ନଦୀରୁ ଆଣିଛନ୍ତି ପାଣି । ମୁଣ୍ଡରେ କଳସ ଧରି କୀର୍ତ୍ତନ ହରିବୋଲ ହୁଳହୁଳି ସହ ସହର ପରିକ୍ରମା କରି ମା’ଙ୍କ ମଣ୍ଡପରେ ପହଞ୍ଚିଛନ୍ତି ମହିଳାମାନେ । କାହିଁକି ନା ରାଇକିଆ ସହରରେ ଚାଲିଛି ମା’ ମହାଲକ୍ଷ୍ମୀଙ୍କ ପୂଜା । ମା’ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପବିତ୍ର ମାର୍ଗଶିର ମାସରେ ଘରେ ଘରେ ପ୍ରତି ଗୁରୁବାରରେ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଉଥିବା ବେଳେ କିଛି ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ ମହାଲକ୍ଷ୍ମୀ ପୂଜା । ଏହାରି ଭିତରେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଇକିଆ ସହର । ମଣ୍ଡପରେ ମା’ ମହାଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଭକ୍ତି ଓ ଶ୍ରଦ୍ଧାର ସହ ପୂଜା କରାଯାଇଛି । ମାର୍ଗଶିର ମାସରେ ପଞ୍ଚମ ଗୁରୁବାର ଆରମ୍ଭ ହୋଇଥିବାବେଳେ ଏହି ପୂଜା ୩୦ ବର୍ଷରେ ପଦାର୍ପଣ କରିଛି । ରବିବାର ଦିନ ମା’ଙ୍କର ପୂର୍ଣ୍ଣ ଆହୁତି କରାଯାଇଥିଲା । ପ୍ରାୟ ୫ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପରେ ପୌରାଣିକ ନାଟକର କାର୍ଯ୍ୟକ୍ରମ ରହିଥିଲା ।
ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକ ଆସିଥାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା କଡାକଡି କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଧୁମଧାମରେ ଏହି ପୂଜା ପାଳନ କରାଯିବ ବୋଲି ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କୁହାଯାଇଛି ।
ମାର୍ଗଶିର ମାସରେ ମହାଲକ୍ଷ୍ମୀଙ୍କୁ ପୂଜାକଲେ ଧନର ଆଗମନ ହୋଇଥାଏ । ତେଣୁ ରାଇକିଆ ସହରରେ ଧୁମଧାମରେ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଛି । ସେପଟେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଦର୍ଶନ କରିବା ପାଇଁ ମହିଳା ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା ।
