ମୁଖ୍ୟମନ୍ତ୍ରୀ ଚିଠି ଡ୍ରାମା ନକରି ଜିଏସଟି କାଉନସିଲରେ କାହିଁକି ଦାବି କରିନାହାନ୍ତି, ଜବାବ ଦିଅନ୍ତୁ : ମୋହନ ମାଝୀ

ପଦମପୁର, ଭୁବନେଶ୍ୱର, ତା.୨୬/୧୧: ରାଜ୍ୟ ସରକାର କେନ୍ଦୁପତ୍ରରୁ ବର୍ଷକୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରେ ଜିଏସଟି ଛାଡକୁ ନେଇ ଯେଉଁ ଚିଠି ଲେଖଛନ୍ତି ତାହା କେବଳ ପଦମପୁର ଉପନିର୍ବାଚନକୁ ଆଖି ଆଗରେ ରଖି । ଉପନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଶ୍ରମିକଙ୍କ କଥା ମନେପଡିଲା । ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ପ୍ରଥମେ ଛାଡ କରନ୍ତୁ । ମୁଖ୍ୟମନ୍ତ୍ରୀ ନିଜେ ଏବେ ଯେଉଁ ଚିଠିର ଡ୍ରାମା କରୁଛନ୍ତି ତାହା ଲୋକ ବୁଝିଗଲେଣି । ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ ଥରେ ହେଲେ ବି ଜିଏସଟି କାଉନସିଲରେ କେନ୍ଦୁପତ୍ର ଉପରେ ଜିଏସଟି ଛାଡ ନେଇ ପ୍ରସ୍ତାବ ଦେଇ ନାହାନ୍ତି ତାହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

ଶ୍ରୀ ମାଝୀ କହିଛନ୍ତି ଯେ ଓଡିଶାର ଲକ୍ଷ ଲକ୍ଷ କେନ୍ଦୁ ପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ବିଜୁ ଜନତା ଦଳର ସରକାର ଅବହେଳା, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି । ବର୍ତମାନ ଉପନିର୍ବାଚନ ପରିପ୍ରେକ୍ଷୀରେ ପଦମପୁର ଉପଖଣ୍ଡର ସତୁରି ହଜାରରୁ ଉର୍ଦ୍ଧ କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ ଶ୍ରମିକଙ୍କୁ ବିଜୁ ଜନତା ଦଳର ସରକାରଙ୍କର ମନ୍ତ୍ରୀମାନେ ଓ ପ୍ରଶାସନିକ କଳ ଡାହା ମିଛ କହି ପ୍ରଲୋଭିତ କରି ଭୋଟ ହାତେଇବାର ଅପଚେଷ୍ଟା କରୁଛନ୍ତି ।
ନିଜେ ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ ରେଢାଖୋଲରେ ଲକ୍ଷାଧୀକ ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା କରିଥିଲେ । ଏହି ଘୋଷଣାକୁ ୯ ବର୍ଷ ବିତିସାରିଥିଲା ବେଳେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ବିଜୁ ଜନତା ଦଳର ସରକାର କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ କୁମ୍ଭୀର କାନ୍ଦଣା ଛାଡନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟ ସରକାର ବର୍ଷକୁ ବର୍ଷ ଉପ୍ତାଦନ କମାଇବା କାମ ମଧ୍ୟ କରୁଛନ୍ତି ଯାହା ସିଧାସଳଖ କେନ୍ଦୁପତ୍ର ସହିତ ଜଡିତ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ପେଟକୁ ଲାତ ମାରିଲା ଭଳି ହୋଇଛି । ବିଜୁ ଜନତା ଦଳର ସରକାର କରୋନା ମହାମାରୀ ସମୟରେ ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଦେଲେ । ସବୁଆଡେ ସର୍ବନିମ୍ନ ମଜୁରି ବୃଦ୍ଧି ହୋଇଥିଲେ ମଧ୍ୟ ସିଜନାଲ ଷ୍ଟାଫଙ୍କ ଦରମା ୩ ବର୍ଷ ହେଲା ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି । ପଂଚାୟତକୁ ହସ୍ତାନ୍ତର ନାମରେ ଘରୋଇ କମ୍ପାନୀଙ୍କ ସହିତ ମଧୁଚନ୍ଦ୍ରିକା କରି ଆଗକୁ କେନ୍ଦୁ ପତ୍ର ସଂସ୍ଥାର ଘରୋଇ କରଣ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଯାହା ଫଳରେ ଲକ୍ଷ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ଭାଗ୍ୟ ଭବିଷ୍ୟତ ଆଜି ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

Spread the love