ମୁଖ୍ୟମନ୍ତ୍ରୀ ବୋମ୍ମଇଙ୍କ ସାମ୍ନାରେ ମଞ୍ଚରେ ଭିଡିଗଲେ କଂଗ୍ରେସ ସାଂସଦ ଓ ବିଜେପି ମନ୍ତ୍ରୀ, ସାମ୍ନାକୁ ଆସିଲା ଭିଡିଓ

ରାମନଗର ୦୩।୦୧: କର୍ଣ୍ଣାଟକର ରାମନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚ ଉପରେ କଂଗ୍ରେସ ସାଂସଦ ଏବଂ ବିଜେପି ମନ୍ତ୍ରୀଙ୍କ ମଧ୍ୟରେ ଲଙ୍କାକାଣ୍ଡ। ସାଂସଦ ଏବଂ ବିଜେପି ମନ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା, ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା ଏହି ସମୟରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ରାମନଗରରେ ଏକ ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ମଞ୍ଚରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ, ରାଜ୍ୟ ମନ୍ତ୍ରୀ ଅଶ୍ଵଥ ନାରାୟଣ ଉପସ୍ଥିତ ଥିଲେ। ସେହି ସମୟରେ ମନ୍ତ୍ରୀ ନାରାୟଣ ମଞ୍ଚରେ ଭାଷଣ ଦେଉଥିଲେ। ସେ ରାମନଗରରେ ସରକାରଙ୍କ ଦ୍ଵାରା ବିକାଶମୂଳକ କାମ ଜନତାଙ୍କ ସାମ୍ନାରେ ବଖାଣୁଥିଲେ। ତେବେ ଏହି ସମୟରେ କଂଗ୍ରେସ ସାଂସଦ ଡିକେ ସୁରେଶଙ୍କ ସମର୍ଥକ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ।

ସାଂସଦ ଡିକେ ସୁରେଶ ନିଜ ଆସନରୁ ଉଠି ମନ୍ତ୍ରୀ ଅଶ୍ଵଥ ନାରାୟଣଙ୍କ ନିକଟରେ ପହଞ୍ଚି  ଯାଇଥିଲେ। ସେ ମନ୍ତ୍ରୀଙ୍କ ଭାଷଣକୁ ବିରୋଧ କରିଥିଲେ। ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ଏତେ ବଢିଗଲା ଯେ, କଥା ହାତାହାତି ପର୍ଯ୍ୟନ୍ତ ଚାଲି ଯାଇଥିଲା। ମଞ୍ଚରେ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଉଭୟଙ୍କ ମଧ୍ୟରେ  ହସ୍ତକ୍ଷେପ କରିବାକୁ ପଡିଥିଲା। ସବୁଠୁ ବିଡମ୍ବନାର ବିଷୟ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ଉପସ୍ଥିତିରେ ହୋଇଥିଲା। ଅଧିକାରୀ ଏବଂ ଅନ୍ୟ ନେତା ଉଭୟଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

Spread the love