ମୃତ୍ୟୁମୁଖରେ ‘ଭାର୍ଗବୀ’

ମୃତ୍ୟୁମୁଖରେ ଚିରସ୍ରୋତା ‘ଭାର୍ଗବୀ’। ନା ଆଗଭଳି ଜଳପ୍ରବାହ ଦେଖିବାକୁ ମିଳୁଛି ନା ଚାଷବାସ ପାଇଁ ଉପଯୋଗୀ ହୋଇପାରୁଛି। ଚାରିଆଡ଼େ କେବଳ ବାଲି, ପଙ୍କ, ପଡ଼ିଆ ହିଁ ଦୃଶ୍ୟମାନ ହେଉଛି। ଭୌଗୋଳିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ପୁରୀ ଜିଲ୍ଲାର ପ୍ରମୁଖ ନଦୀ ‘ଭାର୍ଗବୀ’ର ଏଭଳି ଚିତ୍ର ନଦୀକୂଳିଆ ଅଞ୍ଚଳବାସୀଙ୍କୁ ଶଙ୍କାରେ ପକାଇଛି। ଏଭଳି ସ୍ଥିତି ଲାଗି ରହିଲେ, ଆଗକୁ ଯେ ଜଳାଭାବ ପରି ଭୟଙ୍କର ସ୍ଥିତି ଉପୁଜିବ, ଏଥିରେ ଦ୍ବିମତ ନାହିଁ। ଅପରପକ୍ଷେ ‘ଭାର୍ଗବୀ’ ଶୁଖିଲା ପଡ଼ିବାରୁ ଏହାର ଶାଖା ନଈ ସବୁ ଶୁଖିଗଲାଣି। ଏହା ଜିଲ୍ଲାର ଚାଷବାସକୁ ପ୍ରଭାବିତ କରିବାରେ ଲାଗିଲାଣି। ନଦୀକୂଳିଆ ଅଞ୍ଚଳରେ ଆଉ ଆଗଭଳି ଚାଷବାସ ହେଉନି।

ମହାନଦୀର ପ୍ରମୁଖ ଶାଖା ନଦୀ ଭିତରେ ‘ଭାର୍ଗବୀ’ ଅନ୍ୟତମ। ମହାନଦୀର ଜଳରାଶି କୁଆଖାଇ ନଦୀ ଦେଇ ଭାର୍ଗବୀରେ ମିଶିବା ପରେ ଦୟା, ଲୁଣା ‌ଆଦି ନଦୀ ଦେଇ ଚିଲିକାରେ ମିଶିଛି। ପୁରୀ ଜିଲ୍ଲାରେ ‘ଭାର୍ଗବୀ’ ବାମପାର୍ଶ୍ବରେ ୪୮ କିଲୋମିଟର ଓ ଡାହାଣପାର୍ଶ୍ବରେ ୮୮.୩ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ‘ଭାର୍ଗବୀ’ରୁ ଦୟା, ଲୁଣା, ରତ୍ନଚିରା, କାଞ୍ଚି ଭଳି ଅନେକ ଶାଖା ନଦୀ ଜନ୍ମ ନେଇଛନ୍ତି, ଯେଉଁମାନେ ‘ଭାର୍ଗବୀ’ର ଜଳକୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷବାସକୁ ନିୟନ୍ତ୍ରଣ କରୁଥିଲେ। କିନ୍ତୁ ‘ଭାର୍ଗବୀ’ ଶୁଖିଯିବା ପରେ ଆଉ ଶାଖା ନଦୀରେ ଆଗଭଳି ଜଳ ପ୍ରବାହିତ ହେଉନାହିଁ। କେବଳ ବର୍ଷାଦିନକୁ ଛାଡ଼ିଦେଲେ ଅନ୍ୟ ଦିନରେ ‘ଭାର୍ଗବୀ’ ଓ ଏହାର ଶାଖା ନଦୀ ଶୁଖିଲା ପଡ଼ୁଛି। ପୁରୀ ସଦର ବ୍ଲକର ସବୁ ଅଞ୍ଚଳରେ ଏହା ଜଳଜଳ ଦିଶୁଛି।

ପୋତି ହୋଇଗଲାଣି ନଦୀଶଯ୍ୟା
ପ୍ରଭାବିତ ହେଲାଣି ଶାଖା ନଈ
ଉଜୁଡ଼ିବାରେ ଲାଗିଛି ଚାଷବାସ

ପୁରୀ ଜଳସେଚନ ବିଭାଗର ତଥ୍ୟ ଅନୁସାରେ, ଶେଷଥର ୨୦୧୧ ମସିହାରେ ‘ଭାର୍ଗବୀ’ର ଜଳସ୍ତର ସର୍ବାଧିକ ୭.୭୧ ମିଟର ଉଚ୍ଚରେ ପ୍ରବାହିତ ହୋଇଥିଲା। ଏହା ପରଠାରୁ କେବେ ବି ଏହି ଉଚ୍ଚତା ଛୁଇଁନି ‘ଭାର୍ଗବୀ’ର ଜଳ। ଏହାମଧ୍ୟରେ ୧୫ ବର୍ଷ ଅତିକ୍ରାନ୍ତ ହେବାକୁ ବସିଲାଣି। କେବଳ ବର୍ଷା ସମୟରେ ଜଳସ୍ତର ଅତି ବେଶୀରେ ୫ରୁ ୬ ମିଟର ଭିତରେ ରହୁଛି। ଚନ୍ଦନପୁର ଓ ଆଖପାଖ ଅଞ୍ଚଳର ଚାଷୀଙ୍କ ମତରେ, ଭାର୍ଗବୀ କ୍ରମେ ପୋତି ହେବାରେ ଲାଗିଛି। ଏହାର ଜଳଧାରଣ କ୍ଷମତା ଦିନକୁ ଦିନ କମିବାରେ ଲାଗିଛି। ବହୁ ଦିନ ହେବ ଏହାର ଖନନ ହୋଇନି କି ଜଳଧାରଣ କ୍ଷମତା ବଢ଼ାଇବା କଥା ଚିନ୍ତା କରାଯାଉନି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ଗଛପତ୍ର ସବୁ ଭାଙ୍ଗିପଡ଼ୁଛି, ତାହା ସେହିଭଳି ନଦୀ ଭିତରେ ପଡ଼ିରହୁଛି। ଯାହାଦ୍ବାରା କେବଳ ‘ଭାର୍ଗବୀ’ ନୁହେଁ, ଏହାର ଶାଖା ନଦୀଗୁଡ଼ିକ ବି ପୋତି ହେବାରେ ଲାଗିଛି। ଫଳସ୍ବରୂପ ନଦୀର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ ବର୍ଷାଦିନେ ନଦୀଜଳ ସିଧାସଳଖ ଚିଲିକାକୁ ଚାଲିଯାଉଛି। ରାଜ୍ୟ ସରକାର ଯଦି ନଦୀନାଳର ଖନନ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଅନ୍ତେ, ବର୍ଷାଜଳକୁ ସଂରକ୍ଷଣ ରଖିବାର ବ୍ୟବସ୍ଥା କରନ୍ତେ, ତେବେ ‘ଭାର୍ଗବୀ’ ସହ ଏହାର ଶାଖା ନଦୀନାଳରେ ବର୍ଷତମାମ ଜଳ ପ୍ରବାହିତ ହୁଅନ୍ତା। କିନ୍ତୁ ସେଭଳି କିଛି ଚିନ୍ତା କରାଯାଉନି।

Spread the love